ବଲାଙ୍ଗିର/ତରଭା, (କେପିଏନ୍ଏସ୍) : ତରଭା ବ୍ଲକ ମେଣ୍ଡା ହାଇସ୍କୁଲ ପଡିଆଠାରେ ୨୭ତାରିଖରୁ ୪୧ତମ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ମେଣ୍ଡା ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶମ୍ଭୁଭୂଷଣ ପର୍ଦ୍ଧିଆ ଓ ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ନାରାୟଣ ଝାଙ୍କର ଯୋଗଦେଇ ଉଦ୍ଘାଟନ କରିଥିଲେ । ବଲାଙ୍ଗିର ଜିଲ୍ଲା ବେନ୍ଦ୍ରା ଓ ଜାମଗାଁ କ୍ରିକେଟ ଦଳ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ବେନ୍ଦ୍ରାଦଳ ବିଜୟୀ ହୋଇଥିଲା । ସେହିପରି ଦ୍ୱିତୀୟ ମ୍ୟାଚ୍ ଧୁମାମରା ଓ ସରଗାଡ ମଧ୍ୟରେ ହୋଇ ସାରଗାଡ ଦଳ ବିଜୟୀ ହୋଇଥିଲା । ତେବେ ପ୍ରଥମ ଦିନର କ୍ୱାଟର ଫାଇନାଲ ମ୍ୟାଚ୍ ବେନ୍ଦ୍ରା ଓ ସରଗାଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ ସରଗାଡ ଦଳ ଏଥିରେ ବିଜୟୀ ହୋଇଥିଲା । ବେନ୍ଦ୍ରାଦଳ ନିର୍ଦ୍ଧାରିତ ୧୦ ଓଭରରେ ୮୦ରନ କରିଥିବା ବେଳେ ସରଗାଡ ଦଳ କୌଣସି ୱିକେଟ ନହରାଇ ୬ ଓଭରରେ ୮୧ରନ କରି ବିଜୟୀ ହୋଇଥିଲେ । ସରଗାଡ ଦଳ ପ୍ରଥମ ସେମିଫାଇନାଲ ଖେଳିବାକୁ ଉତ୍ତୀର୍ଣ୍ଣ ହୋଇଛି । ଆଜି ଦ୍ୱିତୀୟ ଦିନରେ ପ୍ରଥମ ମ୍ୟାଚ୍ ମେଣ୍ଡା ସ୍ପୋଟିଂ କ୍ଲବ ଓ ସେମେଲମୁଣ୍ଡା କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମେଣ୍ଡା ସ୍ପୋଟିଂ କ୍ଲବ ୧୦ଓଭରରେ ୧୪୩ ରନ କରି ସେମେଲମୁଣ୍ଡା ଦଳକୁ ୧୪୪ ରନର ଟାର୍ଗେଟ ଦେଇଥିଲା । ତେବେ ମାତ୍ର ସେମେଲମୁଣ୍ଡା ଦଳ ୪୯ ରନରେ ଅଲଆଉଟ ହୋଇଯାଇଥିଲେ । ମେଣ୍ଡା ସ୍ପୋଟିଂ କ୍ଲବ ୯୪ ରନରେ ବିଜୟୀ ହୋଇଥିଲେ । ଖେଳକୁ ଅବିନାଶ ଫରିକାର ଓ ବିଶ୍ୱରଂଜନ ଦଳବେହେରା ଅମ୍ପାୟାର ରହି ପାରିଚାଳନା କରୁଛନ୍ତି । ଏହି ଟୁଣ୍ଟାମେଣ୍ଟ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ମୋଟ ୧୬ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି । ୩୧ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ । ବିଜୟୀ ଦଳ ପାଇଁ ଟ୍ରଫି ସହ ୧୫ହଜାର ଟଙ୍କା ଓ ରନର୍ସଅପ୍ ଦଳ ପାଇଁ ଟ୍ରଫି ସହ ୯ହଜାର ଟଙ୍କାର ପୁରସ୍କାର ରାଶି ରଖାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ମେଣ୍ଡା ସ୍ପୋଟିଂ କ୍ଲବର ମହାଦେବ ଜେନା, ସହଦେବ କର୍ଣ୍ଣ, ସବ୍ୟସାଚୀ ଦଣ୍ଡସେନା, ଧିରେନ୍ଦ୍ର ଝାଙ୍କର, ପିଙ୍କୁ ହାତୀ, ଅନ୍ତର୍ଯ୍ୟାମୀ ଦଣ୍ଡସେନା, ବିଶିକେଶନ ବେହେରା, ପିଣ୍ଟୁ ଦାସ, ରିତେଶ ବରାଇ, ମନ ବିଶ୍ୱାଲ, ସୁରଜ ସରାଫ ପ୍ରମୁଖ ସହଯୋଗ କରୁଛନ୍ତି । ଟୁର୍ଣ୍ଣାମେଣ୍ଟ ଦେଖିବାକୁ ମେଣ୍ଡା, ପାଇକବାହାଲ, ଦେଉଳପଦର, ପୁଆ ଇତ୍ୟାଦି ପଞ୍ଚାୟତର ହଜାର ହଜାର ଦର୍ଶକ ସାମିଲ ହେଉଛନ୍ତି ।
Prev Post