ମନମୁଖି ବିଦ୍ୟୁତ୍‌ କାଟ୍‌ର ପ୍ରତିବାଦ ୫ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ଅଧୀନସ୍ଥ ବରକୋଟ ଗାଁରେ ମନମୁଖି ବିଦ୍ୟୁତ୍‌ କାଟ୍‌ର ପ୍ରତିବାଦରେ ୫ ଜଣ ବିଦ୍ୟୁତ୍ କର୍ମଚାରୀଙ୍କୁ ଗ୍ରାମବାସୀ ୩ ଘଣ୍ଟା ଧରି ଅଟକ ରଖିଥିଲେ । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁସାରେ, ସୁନାବେଡ଼ା ଅଭୟାରଣ୍ୟକୁ ବିଦ୍ୟୁତ୍ ମରାମତି ପାଇଁ ଯାଇଥିବା ବିଦ୍ୟୁତ୍‌ କର୍ମଚାରୀ ଦିନ ପ୍ରାୟ ୧ଟାରେ ଗାଡ଼ିରେ ଫେରୁଥିବା ବେଳେ ବରକୋଟ ଗ୍ରାମବାସୀ ଅଟକାଇଥିଲେ । କାହିଁକି ମନଇଚ୍ଛା ବିଦ୍ୟୁତ୍ କାଟ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ । ସଂପୃକ୍ତ ୫ ଜଣ କର୍ମଚାରୀଙ୍କୁ ଗାଡ଼ିରୁ ଓହ୍ଲାଇ ରାସ୍ତାରେ ବସାଇ ମାର୍‌ପିଟ୍ କରିଥିବା ଅଭିଯୋଗ ହୋଇଛି । ଏଥିସହ ସେମାନଙ୍କ ମୋବାଇଲ ବି ଛଡ଼ାଇ ନେଇଥିଲେ । କୌଣସି ସୂତ୍ରରୁ ଖବର ପାଇ କୋମନା ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ଶିବ ପ୍ରସାଦ ନାଏକ ବାରକୋଟ ଗାଁରେ ପହଞ୍ଚି କର୍ମଚାରୀଙ୍କୁ ଛାଡ଼ି ଦେବାକୁ କହିଥିଲେ । ତେବେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଧମକ୍‌ ଦେବା ସହ ଦୁର୍ବ୍ୟବହାର କରିଥିଲେ । ପରେ କାକୁତି ମିନତି ହେଲା ପରେ ବିଦ୍ୟୁତ୍ କର୍ମଚାରୀଙ୍କୁ ଲୋକେ ଛାଡ଼ିଥିଲେ । ଏନେଇ ବିଭାଗ ପକ୍ଷରୁ କୋମନା ଥାନାରେ ଏତଲା ଦିଆଯାଇଛି । ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ଆଗାମୀ ଦିନରେ କମର୍ଚାରୀମାନେ ଆନ୍ଦୋଳନପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.