ସାଂସଦ ଭାବେ ଶପଥ ଗ୍ରହଣ କଲେ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ଅଷ୍ଟାଦଶ ଲୋକସଭାର ସ୍ଵତନ୍ତ୍ର ଅଧିବେଶନର ଆଜି ଦ୍ଵିତୀୟ ଦିନ । ଆଜି ଦ୍ଵିତୀୟ ଦିନରେ ଲୋକସଭାର ନବନିର୍ବାଚିତ ସାଂସଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିଥିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ପ୍ରୋଟେମ ସ୍ପିକର ଭର୍ତ୍ତୃହରି ମହତାବ ବାଚସ୍ପତି ଭାବେ ଶପଥ ଗ୍ରହଣ କରାଇଥିଲେ । ବରଗଡ଼ ଜିଲ୍ଲା ପାଇକମାଲ ଗ୍ରାମର ସ୍ଥାୟୀ ନିବାସୀ ଶ୍ରୀ ପୁରୋହିତ ପୂର୍ବରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପ୍ରଦୀପ ପୁରୋହିତ ୧୯୬୫ ମସିହାର ମେ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଧେଶ୍ୟାମ ପୁରୋହିତ ଓ ମାତାଙ୍କ ନାମ ସୁଲୋଚନା ପୁରୋହିତ । ଶ୍ରୀ ପୁରୋହିତ ସାଂସଦ ଭାବେ ଶପଥ ନେବା ପରେ ପାଇକମାଲ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଜଣେ ସଂଗ୍ରାମୀ ଲଢ଼ୁଆ ନେତା ଭାବରେ ଶ୍ରୀ ପୁରୋହିତ ବେଶ ଜଣାଶୁଣା । ସେ ସାଂସଦ ହେବା ପରେ ବରଗଡ଼ ଅଞ୍ଚଳରେ ଉନ୍ନତି ଘଟିବ ବୋଲି ଲୋକେ ଆଶା ବାନ୍ଧିଛନ୍ତି ।

Leave A Reply

Your email address will not be published.