ମୁରିବାହାଲ ବ୍ଲକରେ ଶାନ୍ତି ଶୃଙ୍ଖଳାରେ ଭୋଟ ଗ୍ରହଣ ଅନୁଷ୍ଠିତ

  • ମୋବାଇଲ୍ ନେଟୱର୍କରୁ ବଞ୍ଚିତ ବାରବନ୍ଧ ଗ୍ରାମବାସୀଙ୍କ ଭୋଟ ବର୍ଜନ
  • ଅଇଁଲାଭଟା ଗ୍ରାମବାସୀ ବି ବିଳମ୍ବରେ ଭୋଟ ଦେଲେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକରେ ଶାନ୍ତିଶୃଙ୍ଖଳାର ସହିତ ଚଳିତ ସାଧାରଣ ନିର୍ବାଚନ ସୋମବାର ଅନୁଷ୍ଠିତ ହୋଇଯାଇଛି । ମୋବାଇଲ ନେଟୱର୍କରୁ ବଞ୍ଚିତ ବାରବନ୍ଧ ଗ୍ରାମବାସୀଙ୍କ ଭୋଟ ବର୍ଜନ ଓ ଭୋଟଦାନ କେନ୍ଦ୍ର ଦୂର ଅନ୍ୟ ଗ୍ରାମରେ କରାଯିବାରୁ ଅଇଁଲାଭଟା ଗ୍ରାମବାସୀଙ୍କ ଭୋଟ ବର୍ଜନ ଧମକ ସହ କିଛି ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଯୋଗୁଁ ବିଳମ୍ବକୁ ଛାଡ଼ିଦେଲେ ଭୋଟଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି । ବ୍ଲକର ଗୁଡିଘାଟ ପଞ୍ଚାୟତର ମୁଖ୍ୟ ରାଜସ୍ୱ ଗ୍ରାମ ତଥା ୧୨୨ନମ୍ବର ବୁଥ୍‌ ବାରବନ୍ଧ ସହ ସୁକୁନିପଦର, ରାଣୀସିଲେଟ, ବେହେରାଖାଇ ଓ କୁଟନିଝରନ ଭଳି ଅଣରାଜସ୍ୱ ଗ୍ରାମଗୁଡିକରେ ମୋବାଇଲ୍ ନେଟ୍‌ୱର୍କ ସମସ୍ୟା ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଷୋହଳ ଶହ ଜନସଂଖ୍ୟା ତଥା ୯ ଶହରୁ ଅଧିକ ଭୋଟର ବିଶିଷ୍ଟ ଏହି ଅଞ୍ଚଳରେ ସାଧାରଣ ନିର୍ବାଚନ ପୂର୍ବରୁ ମୋବାଇଲ ଟାୱାର ବସାଇ ନେଟୱର୍କ ସମସ୍ୟା ନସୁଧୁରିଲେ ବାଧ୍ୟ ହୋଇ ସାଧାରଣ ଲୋକେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ । ଗ୍ରାମବାସୀଙ୍କ ଦାବୀ ମୁତାବକ ସ୍ୱାଧୀନତାର ୭୭ ବର୍ଷ ପରେ ଜିଲ୍ଲା ତଥା ମୁରିବାହାଲ ବ୍ଲକ ମୁଖ୍ୟାଲୟକୁ ୪ ଜିଲ୍ଲାରୁ ୫ ଜିଲ୍ଲା ନେଟ୍‌ୱର୍କ ପର୍ଯ୍ୟନ୍ତ ପହଞ୍ଚି ସାରିଥିବା ବେଳେ ବ୍ଲକ ମୁଖ୍ୟାଲୟରୁ ମାତ୍ର ୫ କିମି ଦୂରରେ ଥିବା ବାରବନ୍ଧ ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ସାମାନ୍ୟ ମୋବାଇଲ୍ ନେଟ୍‌ୱର୍କ ପହଞ୍ଚି ପାରିନାହିଁ । ଫଳରେ ସାଧାରଣ ଗ୍ରାମବାସୀଙ୍କୁ ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା ହେଉକି କାହାର କେଉଁଠି ଦୁର୍ଘଟଣା ହେଲେ ଗଛ କିମ୍ବା ପାଣିଟାଙ୍କି ଉପରକୁ ଚଢ଼ିବାକୁ ପଡ଼ିଥାଏ । ବେଳେବେଳେ ନିଜର କେହି ଆତ୍ମୀୟ ଲୋକଙ୍କ ମୃତ୍ୟୁ ହେଲେ କିଛିଦିନ ପରେ ଖବର ଜାଣିବାକୁ ପାଇଥାନ୍ତି । ବିଶେଷତଃ ଛାତ୍ରଛାତ୍ରୀମାନେ ମହାମାରୀ କରୋନା ସମୟରେ ଅନ୍‌ଲାଇନ୍‌ ପାଠପଢାରୁ ବଞ୍ଚିତ ହୋଇଥିବା ବେଳେ ଏବେବି ସେମାନେ ନେଟ୍‌ୱର୍କ ସମସ୍ୟା ସହ ଉନ୍ନତମାନର ପ୍ରଯୁକ୍ତିବିଦ୍ୟା ଓ ଉନ୍ନତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ପୁର୍ବରୁ ଏ ସମ୍ପର୍କରେ ଗ୍ରାମବାସୀ ବହୁଥର ସ୍ଥାନୀୟ ଜନପ୍ରତିନିଧି, ବିଡ଼ିଓ, ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ତଥା ୫ଟି ସଚିବଙ୍କ ଗସ୍ତ ବେଳେ ଲିଖିତ ଦାବୀପତ୍ର ଦେଇ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ସୁଫଳ ମିଳି ପାରିନାହିଁ । ଏଣୁ ଚଳିତ ୨୦୨୪ସାଧାରଣ ନିର୍ବାଚନ ପୂର୍ବରୁ ବାରବନ୍ଧ ଅଞ୍ଚଳରେ ମୋବାଇଲ ନେଟ୍‌ୱର୍କ ସମସ୍ୟା ନସୁଧୂରିବାରୁ ବାଧ୍ୟ ହୋଇ ସୋମବାର ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନକୁ ୯ ଶହରୁ ଅଧିକ ଭୋଟର ସମ୍ପୂର୍ଣ୍ଣ ରୂପେ ବର୍ଜନ କରିଥିଲେ । ଭୋଟ ବର୍ଜନରୁ ବିରତ ରହି ଗ୍ରାମବାସୀ ଆସି ଭୋଟ ଦେବା ପାଇଁ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ତହସିଲଦାର ଜଗଦୀଶ କର୍ତାମି, ଥାନା ଆଇଆଇସି ସିପୋରା ସରାୟ ଲୁଗୁନ, ବ୍ଲକ ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି ଓ ଜିପିଡିଓ ଏନ୍‌ ଜେ ଥିଓଫିଲ ପ୍ରମୁଖ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ ସମୟ ଶେଷ ସୁଦ୍ଧା କୌଣସି ସମାଧାନ ହୋଇ ପାରିନଥିଲା । ଗ୍ରାମର ଗିରିଧାରୀ ସାହୁ, ଆଲୋକ ସାହୁ, ଲୋକନାଥ ବଘାର, ବଳବନ୍ତ ଭୋଇ, ସୁବ୍ରତ ବଘାର, ବାବୁଲୁ ସାହୁ, ହେମାସାଗର ବଘାର, ହରିଶଙ୍କର ଧରୁଆ, ଭକ୍ତ ସାହୁ, ବୁଡୁ ଚିନ୍ଦା ଗୋପାଳ ଚିନ୍ଦା, ରାମ ବାଗ, ଶଙ୍କର ଧଙ୍ଗଡ଼ା ମାଝୀ, ପବିତ୍ର ସାହୁ, ଉମେଶ ସାହୁ, ନିରଞ୍ଜନ ସାହୁ, ଗୋବିନ୍ଦ ଭୋଇ, ରୁଦ୍ର ସିଂ ଭୋଇ, ଆକାଶ ସାହୁ, ହୃଦାନନ୍ଦ ଭୋଇ, ପୁଣ୍ୟ ମାଝୀ, ଟଙ୍କ ମାଝୀ, ଦୁର୍ବାସା ସାହୁ, ପ୍ରଶାନ୍ତ ବାଗ, ଶମ୍ଭୁ ସାହୁ, ତେଜୁ ସାହୁ, ଅନାଥ ସାହୁ, ବୀରଭଦ୍ର ନାଏକ, ମନ୍ଧର ଖରସେଲଙ୍କ ସହ ଗ୍ରାମର ଶତାଧିକ ଭୋଟର ଓ ଗ୍ରାମବାସୀ ଉପସ୍ଥିତ ରହି ନୋ ନେଟ୍‌ୱର୍କ ନୋ ଭୋଟ ନାରା ଦେଇ ପ୍ରତିବାଦ କରି ଭୋଟ ବର୍ଜନ କରିଥିଲେ । ସେହିପରି ପତ୍ରାପାଲି (କ) ପଞ୍ଚାୟତ ଅଇଁଲାଭଟା ଗ୍ରାମର ଭୋଟଦାନ କେନ୍ଦ୍ର ଗୋଇମୁଣ୍ଡ ପଞ୍ଚାୟତ ଭୋଇପଡ଼ାରେ କରାଯିବାରୁ ଗ୍ରାମବାସୀ ପ୍ରତିବାଦ କରି ଭୋଟ ବର୍ଜନ କରିଥିଲେ । ପରେ ପ୍ରଶାସନର ପ୍ରତିଶୃତି ପରେ ଗ୍ରାମବାସୀ ଯାଇ ବିଳମ୍ୱରେ ଭୋଟଦାନ କରିଥିବା ଜଣାପଡିଛି । ବ୍ଲକର ସମସ୍ତ ୨୨ଟି ପଞ୍ଚାୟତରେ ଚଳିତ ସାଧାରଣ ନିର୍ବାଚନରେ ମୋଟ ୯୪ ହଜାର ୬୨ ଜଣ ଭୋଟରଙ୍କ ପାଇଁ ୧୧ଟି ସେକ୍ଟରରେ ୧୦୯ଟି ବୁଥ୍‌ କରାଯାଇଥିବା ବେଳେ ମୋଟ ୧୬ଟି ପିଙ୍କ ବୁଥ୍‌ କରାଯାଇଥିଲା । ଯେଉଁଠି କେବଳ ସମସ୍ତ ମହିଳା କର୍ମଚାରୀ ନିର୍ବାଚନ ପରିଚାଳନା କରିଥିଲେ । ସେହିପରି ମୁରିବାହାଲ ସଦର ମହକୁମାର ୧୪୩ ନମ୍ବର ବୁଥ୍‌କୁ ମଡେଲ୍‌ (ଆଦର୍ଶ) ବୁଥ୍‌ ଓ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ୧୫୩ ନମ୍ବର ବୁଥ୍‌କୁ ୟୁଥ୍ (ଯୁବ) ବୁଥ୍‌ କରାଯାଇଥିଲା । ୬୬ଟି ବୁଥ୍‌ରେ ସିସିଟିଭି ଦ୍ୱାରା ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାକୁ ନଜରରେ ରଖାଯାଇଥିଲା । କେତେକ ଭୋଟଦାନ କେନ୍ଦ୍ରରେ ଇଭିଏମ୍‌ରେ ତ୍ରୁଟି ଯୋଗୁଁ ସକାଳୁ ଭୋଟଦାନ ବିଳମ୍ବ ହୋଇଥିଲେ ମଧ୍ୟ ଭୋଟରଙ୍କ ଉତ୍ସାହ ଯୋଗୁଁ ସନ୍ଧ୍ୟା ସୁଦ୍ଧା ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା । ବାରବନ୍ଧର ଭୋଟ ବର୍ଜନକୁ ବାଦ ଦେଲେ ସନ୍ଧ୍ୟା ସୁଦ୍ଧା ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ବୋଲି ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲ ପ୍ରକାଶ କରିଛନ୍ତି । ସେହିପରି ଆଇନ ଶୃଙ୍ଖଳା ଦୃଷ୍ଟିରୁ ଥାନା ଅଞ୍ଚଳରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.