jayashree

ବୌଦ୍ଧ ଜିଲ୍ଲାର ଗର୍ବ ଓ ଗୌରବ ବାଦଲ ବେହେରା

  • ବଡ଼ି ବିଲ୍‌ବିଙ୍ଗ୍‌ରେ ଆନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ମନୋନିତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବାଦଲ ବେହେରା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ସରସରା ଗ୍ରାମର ୨୮ ବର୍ଷର ଯୁବକ । ଏକ ନିହାତି ଗରିବ ଧୀବର ପରିବାରର ପୁଅ । ଘରୁ ବାହାରିଥିଲେ କିଛି ଗୋଟିଏ କରି ରୋଜଗାର କରିବା ଆଶାରେ । ମା’ କହିଥିଲେ କିଛି ନକଲେ ଘରକୁ ଫେରିବୁନି । ବାଦଲ ରାଜଧାନୀ ଭୁବନେଶ୍ୱରରେ ବହୁ କଷ୍ଟରେ ଗୋଟିଏ ଜିମ୍‌ରେ କାମ ପାଇଲେ । ଜିମ୍‌ ପରେ ଜିନିଷ ସବୁ ଠିକ୍ ଜାଗାରେ ରଖିବା ନିମନ୍ତେ ୫ ଟଙ୍କିଆ ମିଲ୍ ଖାଇ, ବହୁ କଷ୍ଟକରି କ୍ରମେ ସେ ବଡ଼ି ବିଲ୍‌ବିଙ୍ଗ୍‌ରେ ନିଜର ଜଲ୍ଵା ଦେଖାଇ ଖୋର୍ଦ୍ଧା ଜିଲ୍ଲା ପାଇଁ ଖେଳି ଭୁବନେଶ୍ୱର କୁମାର୍, କଳିଙ୍ଗ ପୁତ୍ର ଆଦି ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଲାଭ କରିଥିଲେ । ପରେ ଗୋଆ ଠାରେ ଜାତୀୟ ତ୍ରୟୋଦଶ ଫେଡେ଼ରେସନ୍‌ କ୍ଲବ୍‌ରେ ଅଂଶ ଗ୍ରହଣ କରିଥିଲେ । ଏବଂ କେରଳ ଠାରେ ଆନ୍ତର୍ଜାତୀୟ ବଡ଼ି ବିଲ୍‌ବିଙ୍ଗ୍‌ ଚାମ୍ପିଆନ୍‌ସିପ୍‌ ପାଇଁ ଅନୁଷ୍ଠିତ ଟ୍ରାଏଲ୍‌ ଗେମ୍‌ରେ ୭୦ କିଲୋ ବର୍ଗରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଇଣ୍ଡୋନେସିଆ ପାଇଁ ମନୋନୀତ ହୋଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ସାରା ଜିଲ୍ଲାରୁ ଅଭିନନ୍ଦନର ସୁଅ ଛୁଟିଛି । ସେ ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ଗ୍ରାମବାସୀ ଓ ତାଙ୍କ ସାଙ୍ଗସାଥୀ ମହାସମାରୋହରେ ପାଛୋଟି ନେଇଥିଲେ । ସମସ୍ତ ଗ୍ରାମ ଏହି ସୁପୁତ୍ରକୁ ପାଇ ଗର୍ବ ଓ ଗୌରବରେ ଆତ୍ମହରା ହୋଇ ପଡ଼ିଛି । ହେଲେ ଇଣ୍ଡୋନେସିଆରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ଅତି କମ୍‌ରେ ୫ ଲକ୍ଷ ଟଂକା ଆବଶ୍ୟକ । ଯାହା ଯୋଗାଡ଼ କରିବା ବାଦଲ ବେହେରାଙ୍କ ପରିବାର ପାଇଁ ପୁରାପୁରି ଅସମ୍ଭବ । ତେଣୁ ବାଦଲ ବାବୁ, ତାଙ୍କ ପିତାମାତା ଓ ବନ୍ଧୁ ମାନେ ବୌଦ୍ଧ ଜିଲ୍ଲପାଳ, ଜିଲ୍ଲା ଅଲିମ୍ପିକ୍ ସଙ୍ଗ, ରାଜ୍ୟ ସରକାର ତଥା ସହୃଦୟ ବ୍ୟକ୍ତିମାନଙ୍କୁ ଅନୁରୋଧ କରିଛନ୍ତି । ଯଦି ବାଦଲ ବେହେରାଙ୍କୁ ବିଭିନ୍ନ ସୂତ୍ରରୁ ଆର୍ଥିକ ସହାୟତା ମିଳି ପାରନ୍ତା ତେବେ ଏହି ନିହାତି ଗରିବ ପରିବାରର ପୁଅର ସ୍ୱପ୍ନ ସାର୍ଥକ ହେବା ସହିତ ଓଡିଶା ତଥା ଦେଶର ଗୌରବ ଆନ୍ତର୍ଜାତିକ ସ୍ତରରେ ସୁନାମ ଆଣି ଦେଇପାରନ୍ତା ବୋଲି ଗ୍ରାମବାସୀ ମତ ଦେଉଛନ୍ତି ।

Leave A Reply

Your email address will not be published.