oom

କୋଟିପତି ସହକାରୀ ଯନ୍ତ୍ରୀ ଗିରଫ

jsmm

ଭୁବନେଶ୍ୱର : ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୧ ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କୁ ମଙ୍ଗଳବାର ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଓ ଯାଞ୍ଚ ପରେ ତାଙ୍କ ନିକଟରୁ ପ୍ରାୟ ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ମିଳିଛି । ଏହି ବେଆଇନ ସମ୍ପତ୍ତି ତାଙ୍କ ପ୍ରକୃତ ଆୟଠାରୁ ୧୬୭ ପ୍ରତିଶତ ଅଧିକ । ଏନେଇ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ମାନସ ଓ ତାଙ୍କ ସ୍ତ୍ରୀଙ୍କ ନାମରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା (ନଂ.୩୨/୨୦୨୨) ରୁଜୁ କରାଯାଇଛି । ଗିରଫ ପରେ ଅଭିଯୁକ୍ତ ମାନସଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ମାମଲାରେ ଅଧିକ ତଦନ୍ତ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁଯାୟୀ, ମାନସଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆସିବାରୁ ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‌ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ସୋମବାର ତାଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ କାର୍ଯ୍ୟାଳୟ, ଜଗତସିଂହପୁର କୁଜଙ୍ଗ ନିକଟ ଗାଣ୍ଡିକାପୁର ସ୍ଥିତ ଘର ଓ କଟକ ସାଲେପୁର ସ୍ଥିତ ବନ୍ଧୁଙ୍କ ଘର ସମେତ ୭ ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲା । ମାନସଙ୍କ ବ୍ୟାଙ୍କ ଓ ଜୀବନ ବୀମା ପଲିସିରେ ୧.୪୬ କୋଟି ଟଙ୍କା ଜମାରାଶି ସହ କଟକ ସିଡିଏ ସେକ୍ଟର-୭ରେ ପ୍ଲଟ ନଂ.ଇ/୧୨୧ରେ ଥିବା ୩ ମହଲା କୋଠା, ଜଟଣୀ କଣ୍ଟିଲୋ ସ୍ଥିତ ସୃଷ୍ଟି ପ୍ଲାଜା ଆପାର୍ଟମେଣ୍ଟରେ ଥିବା ୨୨.୭୬ ଲକ୍ଷ ଟଙ୍କାର ଗୋଟିଏ ଫ୍ଲାଟ୍‌, କଟକ ଜିଲା ସାଲେପୁର ସ୍ଥିତ ଚମ୍ପତିପାଟଣାରେ ଥିବା ଏକ ମହଲା କୋଠା ଏବଂ କଟକ ଜିଲ୍ଲା ଫୁଲନଖରା ଓ ଖୋର୍ଦ୍ଧା ଜିଲ୍ଲା ନାରଣଗଡ଼ରେ ଗୋଟିଏ ଲେଖାଏ ୨ଟି ପ୍ଲଟ୍‌ ଠାବ ହୋଇଥିଲା । ସେହିପରି ତାଙ୍କ ଘରୁ ନଗଦ ୫୪ ହଜାର ୪୭ ଟଙ୍କା, ୧୨.୬୪ ଲକ୍ଷ ଟଙ୍କାର ଗୋଟିଏ ଚାରିଚକିଆ ଯାନ, ୨.୬୧ ଲକ୍ଷ ଟଙ୍କାର ୪ଟି ବାଇକ, ୩.୪ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୫.୩୪ ଲକ୍ଷ ଟଙ୍କାର ଘରୋଇ ଉପକରଣ ଠାବ କରାଯାଇଥିଲା ।

jittmm
Leave A Reply

Your email address will not be published.