ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ନିଶା କାରବାର ରୋକିବାକୁ କନ୍ଧମାଳ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ପେସାଲ୍ ଡ୍ରାଇଭ୍ । ବାଲିଗୁଡ଼ା ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରେ ନାକା ଲଗାଇ ଗାଡ଼ି ମଟର ଯାଞ୍ଚ୍ କଡ଼ାକଡ଼ି କରାଯାଇଛି । ଫଳରେ ପୋଲିସକୁ ମିଳିଛି ବଡ଼ ସଫଳତା । ପୃଥକ ପୃଥକ ତିନୋଟି ଥାନା ଅଞ୍ଚଳରେ ଚଢ଼ାଉ କରି ପ୍ରାୟ ୧୫ ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଜବତ କରିଛି ପୋଲିସ୍ । ବାଲିଗୁଡ଼ା, କ. ନୂଆଗାଁ ଓ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରୁ ଗୋଟିଏ ଦିନରେ ୨୬୦ କେଜି ବେଆଇନ୍ ଗଞ୍ଜେଇ ଜବତ କରିବା ସହ ଘଟଣାରେ ୭ ଜଣ ଗଞ୍ଜେଇ ମାଫିଆଙ୍କୁ ବାନ୍ଧିଲା ପୋଲିସ୍ । ଗିରଫଙ୍କ ମଧ୍ୟରେ ୪ଜଣ ମଧ୍ୟପ୍ରଦେଶର ହୋଇଥିବା ବେଳେ ସେମାନେ ବାଲିଗୁଡ଼ା ଅଞ୍ଚଳରୁ ମଧ୍ୟପ୍ରଦେଶକୁ ୪୦ କେଜି ବେଆଇନ୍ ଗଞ୍ଜେଇ ଚୋରା କରୁଥିବା ବେଳେ କ. ନୂଆଗାଁ ଥାନା ଅଞ୍ଚଳରୁ ୧୨୦ କେଜି ଗଞ୍ଜେଇ ଓ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରୁ ୧୦୦ କେଜି ବେଆଇନ୍ ଗଞ୍ଜେଇ ଜବତ କରିବା ସହ ଗୋଟିଏ ଅଟୋ, ଗୋଟିଏ ମୋଟରସାଇକେଲ ଓ ଗୋଟିଏ କାର୍ ଜବତ କରାଯାଇଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି ବାଲିଗୁଡା ଏସଡିପିଓ ସୁଭମ୍ ଭୋଷଲେ କହିଛନ୍ତି ।