ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆନ୍ତଃ ରାଜ୍ୟ ଗଞ୍ଜେଇ ବେପାରୀ ସୁଧୀର ଗୁରୁ(୫୨)କୁ ଗିରଫ କରିବାରେ ସଫଳ ହୋଇଛି ସୁବର୍ଣ୍ଣପୁର ପୋଲିସ । ପଡୋଶୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବରଡିପଦର ଗ୍ରାମର ଶ୍ରୀ ଗୁରୁ ଦୀର୍ଘଦିନ ଧରି ଆନ୍ତଃ ରାଜ୍ୟ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ ରାକେଟରେ ସାମିଲ ଥିଲେ । ସୁବର୍ଣ୍ଣପୁର ଜିଲା ତରଭା ପୋଲିସ ଆଇଆଇସି ଅନିତା କିଡୋଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ୍ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବିଚାରପତି ଜାମିନ ନାମଞ୍ଜୁର କରି ଦେଇଥିବାରୁ ତାଙ୍କୁ ସୋନପୁର ଉପକାରାଗାରକୁ ପଠାଇ ଦିଆଯାଇଛି । ଗତ ୧ ଜୁଲାଇରେ ତାଙ୍କ ନାମରେ ତରଭା ଥାନାରେ ଏକ ଏନଡିପିଏସ କେସ ନଂ ୧୬୩/୨୫ ମାମଲା ରୁଜୁ ହେବା ପର ଠାରୁ ସେ ଫେରାର ହୋଇଯାଇଥିଲେ । ସେହିପରି ପୂର୍ବରୁ ସୋନପୁର ଥାନାରେ ଏନଡିପିଏସ କେସ ନଂ ୧୨୯/୨୪ ଓ ତରଭା ଥାନାରେ ଏନଡିପିଏସ କେସ ନଂ ୧୭୮/୨୫ରେ ମାମଲା ଥିବାବେଳେ ସେ ପୋଲିସକୁ ଚକମା ଦେଇ କୁଆଡେ ଫେରାର ଥିଲେ । ତାଙ୍କୁ ଗିରଫ କରିବା ପାଇଁ ତରଭା ତଥା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ତନାଘନା ଚଳାଇଥିବା ବେଳେ ସେ ଗିରଫ ଭୟରେ ଘର ଛାଡ଼ି ଉପାନ୍ତ ତଥା ଜଙ୍ଗଲରେ ରହୁଥିବା ଏସପି ନାରାୟଣ ନାୟକ ସୂଚନା ଦେଇଛନ୍ତି । ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଏସପି ଶ୍ରୀ ନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ବଲାଙ୍ଗିର ଜିଲା ଲୋଇସିଂହା ଅଞ୍ଚଳରେ ଚଢାଉ କରାଯାଇ ଗତକାଲି ତାଙ୍କୁ ଧରାଯାଇଛି । ଇନ୍ସପେକ୍ଟର ଟଙ୍କଧର ଛତ୍ରିଆ ଏହି ମାମଲାର ତଦନ୍ତ କରୁଥିବା ବେଳେ ସୁଧୀର ଗୁରୁ ନାମରେ ବୌଦ୍ଧ ଜିଲାର ବିଭିନ୍ନ ଥାନାରେ ମଧ୍ୟ ମାମଲା ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।