ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲାରେ ବେଆଇନ କଫ୍ ସିରପ କାରବାର ନିୟନ୍ତ୍ରଣ ଦିଗରେ ଖପ୍ରାଖୋଲ ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି । ୬୩୯ ବୋତଲ କଫ୍ ସିରପ ସହ ୨ଟି ଦାମୀ କାର୍ ଏବଂ ୨ଟି ବାଇକ୍ ଖପ୍ରାଖୋଲ ପୋଲିସ ଜବତ କରିଛି । ସୂଚନା ଅନୁଯାୟୀ ବେଆଇନ କଫ୍ ସିରପର ଚୋରା ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ଗୋଟିଏ ଟିମ୍ ଗଠନ କରି ଗମ୍ଭାରୀ ଛକ ନିକଟସ୍ଥ ମେନ୍ ରୋଡ଼ ଉପରେ ଅତର୍କିତ ଭାବେ ଚଢ଼ାଉ କରି ମୋଟ ୫ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର କଫ୍ ସିରପ, ୨ଟି ଦାମୀ କାର୍ ନଂ ଓଡି୦୨ବିକ୍ୟୁ ୭୪୫୧, ଓଆର ୦୨ ଏଜି ୮୧୧୧, ୨ ଟି ବାଇକ୍ ନଂ ଓଡି ୦୩ଏସ ୧୩୦୫, ଓଡି ୦୩ଜେ ୦୨୨୦ ଏବଂ ନଗଦ ୨୫୦୦ ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲା ପଦ୍ମପୁରର ଦୁର୍ଯ୍ୟୋଧନ ସାହୁ ଓ ଜୟରାମ ତ୍ରିପାଠୀ, ବଲାଙ୍ଗିର ଜିଲ୍ଲା ବେଲପଡାର ଲୋକେଶ ନାଏକ, ଭୁର୍ସିପାଲିର ରଞ୍ଜନ ସ୍ୱାଇଁ ଏବଂ ବଲାଙ୍ଗିରର ହାତୀଶାଲପଡାର ଶ୍ରୀକାନ୍ତ ବେହେରା । ବୁଧବାର ଅପରାହ୍ଣରେ ଖପ୍ରାଖୋଲ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇ କହିଛନ୍ତି ଯେ, ଖପ୍ରାଖୋଲ ପୋଲିସ ଦ୍ୱାରା ନିୟୋଜିତ ଜଣେ ବ୍ୟକ୍ତିଙ୍କ ସୂଚନାକ୍ରମେ ଉପରୋକ୍ତ ବେଆଇନ କଫ୍ ସିରପ କାରବାର ଧରାପଡିଛି । ଅଭିଯୁକ୍ତମାନେ ବାହାରୁ କଫ୍ ସିରପ ସ୍ମଗଲିଂ କରି ଆଣି ଖପ୍ରାଖୋଲ ତଥା ଆଖପାଖ ବିଭିନ୍ନ ଅଞ୍ଚଳକୁ ଦଲାଲଙ୍କ ଜରିଆରେ ଯୋଗାଣ କରୁଛନ୍ତି । ଚଢ଼ଉରେ ସେମାନଙ୍କ ପାଖରୁ ୧୦୦ ଏମଏଲର ୬୩୯ ବୋତଲ ଏସକଫ ଓ ଓମେରେକ୍ସ କଫ୍ ସିରପ ଜବତ ହୋଇଥିବା ସେ ସୂଚନା ଦେଇଛନ୍ତି । ସୂଚନା ଥାଉକି, ଏସକଫ କଫ୍ ସିରପ ହିମାଞ୍ଚଳ ପ୍ରଦେଶ ରାଜ୍ୟ ସ୍ଥିତ ଲେବୋରେଟ ଫାରମାଟିକାଲ୍ସ ତିଆରି କରୁଥିବା ବେଳେ ଏବେ ତା’ ସହିତ ଓମେରେକ୍ସ ନାମକ କଫ୍ ସିରପ ମଧ୍ୟ ଜବତ ହୋଇଛି, ଯାହାକୁ ଏମ୍ବିଟ ବାଇଓ ମେଡିକ୍ସ କମ୍ପାନୀ ତିଆରି କରିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୬୧/୨୩ ରେ ୨୭୪/୨୭୫/୨୭୬/୧୨୦ବି ଧାରା ଅନୁଯାୟୀ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ବେଆଇନ କଫ୍ ସିରପ କାରବାର ନେଇ ଖପ୍ରାଖୋଲ ପୁଲିସର ଏହି ଅଭିଯାନରେ ଜନସାଧାରଣ ସହଯୋଗ କରିବାକୁ ଶ୍ରୀ ସାହୁ ଅନୁରୋଧ କରିବା ସହ କଫ୍ ସିରପ ବାବଦରେ ଯେ କୌଣସି ସୂଚନା ଦେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମଦ ଭଳି ବିଭିନ୍ନ କୁଟୀର ଶିଳ୍ପ ଭାବେ ବିଶେଷ କରି କଫ୍ ସିରପ ଜବତ କରିବା ଦେଖାଯାଉଛି । ଏହି ନିଶା ସାମଗ୍ରୀ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ି ଚାଲିଛି । ପୋଲିସ ପ୍ରଶାସନ ପକ୍ଷରୁ ଏହି ମାମଲା ନେଇ ନିଆଯାଉଥିବା ପଦକ୍ଷେପ ସତ୍ୱେ ନିଶା କାରବାର ମଧ୍ୟରେ ଏସକଫ ନାମକ ଏହି ନିର୍ଦ୍ଦିଷ୍ଟ କଫ୍ ସିରପ ପ୍ରଚୁର ମାତ୍ରାରେ ବିକ୍ରି ଚାଲିଛି । ନିର୍ଦ୍ଦିଷ୍ଟ ଔଷଧ କମ୍ପାନୀ ତାର ନାମ ମୂଲ୍ୟ ଉଦ୍ଦିଷ୍ଟ ଥିବା ସତ୍ୱେ ଉକ୍ତ ନିର୍ଦ୍ଦିଷ୍ଟ କମ୍ପାନୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ବେଳେ ଅପରପକ୍ଷେ ଖପ୍ରାଖୋଲ ଥାନା ଅଞ୍ଚଳରୁ କଫ୍ ସିରପ କାରବାର ଉପରେ ଖପ୍ରାଖୋଲ ପୋଲିସ ଯେଉଁ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତମାନଙ୍କୁ ଧରୁଛି ସେଥିପାଇଁ ଭୁରି ଭୁରି ପ୍ରଶଂସା ମଧ୍ୟ ପାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏହି ସାମ୍ବାଦିକ ସମ୍ମିଳନୀରେ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ସହ ଏସଆଇ ଗୋପୀନାଥ ମହାକୁଡ଼, କନେଷ୍ଟବଳ ସଞ୍ଜୀବ ସାହୁ, ଜାନକୀ ବଲ୍ଲଭ ଭୋଇ ଏବଂ ପୋଲିସ ଷ୍ଟାଫ ଉପସ୍ଥିତ ଥିଲେ ।