ଏମ୍‌ଡିଏମ୍ ଚାଉଳ ଚୋରି କରି ୩ ଯୁବକ ଗିରଫ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଖଗସା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟରେ ରଖାଯାଇଥିବା ଏମ୍‌ଡିଏମ୍ ଚାଉଳ ଚୋରି ଘଟଣାରେ କଣ୍ଟାବାଞ୍ଜି ପୋଲିସ ୩ ଜଣ ଯୁବକଙ୍କୁ ଗିରଫ କରି ୧୩ ବସ୍ତା ଚାଉଳ ଜବତ କରିବାରେ ସଫଳ ହୋଇଛି । ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟ ସଦସ୍ୟା କଣ୍ଟାବାଞ୍ଜି ଥାନାରେ ୧୩ ବସ୍ତା ଚାଉଳ ଚୋରି ହୋଇଥିବା ନେଇ ଲିଖିତ ଭାବେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଖଗସା ଗାଁକୁ ଯାଇ ପୋଲିସ ତଦନ୍ତ କରିବା ସହ ଉକ୍ତ ଗାଁର ଗୋବିନ୍ଦ ଥନାପତି(୨୨), ଲକ୍ଷ୍ମଣ କୁଅଁର(୨୧) ଏବଂ ଫୋଫୋ କୁଅଁର(୨୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ଉକ୍ତ ଗାଁର ନବରାଜ କୁଅଁରଙ୍କ କ୍ଷେତ ସମ୍ମୁଖରେ ଅନ୍ୟ ଜଣଙ୍କ ଜମି ପାଖରେ ୧୩ ବସ୍ତା ଏମ୍‌ଡିଏମ୍ ଚାଉଳ ପୋଲିସ ଗାଁ ଲୋକଙ୍କ ଉପସ୍ଥିତିରେ ଜବତ୍ କରିଥିବା ଗାଁ ଲୋକେ କହିଛନ୍ତି । ଅନ୍ୟପକ୍ଷରେ ନବରାଜ କୁଅଁରଙ୍କ ଜମି କ୍ଷେତରେ ଥିବା ଏକ ଗ୍ଳେମର ବାଇକ୍‌କୁ ମଧ୍ୟ କଣ୍ଟାବାଞ୍ଜି ପୋଲିସ ନେଇ ଆସିଥିବା ବେଳେ ବାଇକ୍‌ ଦେବାକୁ ମନା କରି ଦେଇଛି ପୋଲିସ ବୋଲି କୁହାଯାଇଛି । ତେବେ ଏହି ଏମ୍‌ଡିଏମ୍ ଚାଉଳ ଚୋରି ଘଟଣାରେ ଗାଁର ଆଉ କିଛି ଅନେକ ଲୋକେ ସମ୍ପୃକ୍ତ ଥିବା ସୂଚନା ପାଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.