ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ୨୦ ତାରିଖ ମଙ୍ଗଳବାର ରାତିରେ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଜଣେ ରୋଗୀଙ୍କୁ ଚିକିତ୍ସା ପାଇଁ ଆଣିଥିବା ବେଳେ ପ୍ରାରମ୍ଭିକ ଚିକିତ୍ସା କରିବା ଭିତରେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ଡାକ୍ତର ବିଜୁ ଅଗ୍ରୱାଲ ରୋଗୀଙ୍କୁ ମୃତ ଘୋଷଣା କରିଥିଲେ, ରୋଗୀଙ୍କ ସମ୍ପର୍କୀୟ ଅନ୍ୟ ଡାକ୍ତରଙ୍କୁ ଡାକି ଚେକ କରିବାକୁ କହିବା ପରେ ଏସ୍ଡିଏମ୍ଓ ଦାୟିତ୍ୱରେ ଥିବା ଡାକ୍ତର ପି.କେ ପାଲଙ୍କୁ ଡକାଯାଇଥିଲା । ସେ ମଧ୍ୟ ରୋଗୀଙ୍କୁ ମୃତ ଘୋଷଣା କରିଥିଲେ । ମୃତ ରୋଗୀଙ୍କ ସମ୍ପର୍କୀୟ ମୁରାରି ମିଶ୍ର ଡାକ୍ତର ପି.କେ. ପାଲଙ୍କୁ ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ କରି ତାଙ୍କୁ ମାଡ ମାରିଥିଲେ । ୨୧ ତାରିଖ ବୁଧବାର ଦିନ ସକାକୁ ଡାକ୍ତର ଆସି ଥାନାରେ ଏ ବାବଦରେ ଏତଲା ଦେଇଥିଲେ । ଯିଏ ମାଡ ମାରିଛି ତାକୁ ଆଗ ଗିରଫ କରିବାକୁ ଡାକ୍ତର ଦାବୀ କରିଥିଲେ । ଏତଲାକୁ ଭିତ୍ତି କରି ଅଭିଯୁକ୍ତ ମୁରାରି ମିଶ୍ରଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।
ଘଟଣା ସମ୍ପର୍କରେ ଏସ୍ଡିଏମ୍ଓ ପି.କେ ନାଏକ, ଘଟଣା ଘଟିବା ସମୟରେ କାର୍ଯ୍ୟରତ ଥିବା ଡାକ୍ତରଙ୍କୁ ଡକାଇ ପୋଲିସଙ୍କ ଉପସ୍ଥିତିରେ ପଚରା ଉଚରା କରିଥିଲେ । ଟିଟିଲାଗଡ଼ ଥାନାରେ ଏ ସମ୍ବନ୍ଧରେ ଏକ ସାମ୍ବାଦିକ ସମ୍ମିଳନୀରେ ମାଡ ମାରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଏସ୍ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର । ଏହି ସାମ୍ବାଦିକ ସମ୍ମିଳନୀରେ ଥାନାଧିକାରୀ ମନୋଜ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।