୧୪ ଲକ୍ଷରୁ ଅଧିକ ଠକେଇ ଅଭିଯୋଗ : ୪ ଗିରଫ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଅଧିକ ଟଙ୍କା ଦେବା ଲୋଭ ଦେଖାଇ ୧୪ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ୪ଜଣ ଦୁର୍ବୃତ୍ତଙ୍କୁ ଆଜି ଟିଟିଲାଗଡ଼ ପୁଲିସ ଗିରଫ କରିଛି । ଏଥିସହ ସେମାନଙ୍କଠାରୁ ବିପୁଳ ଟଙ୍କା, ୨ଟି ଚାରିଚକିଆ ଗାଡ଼ି, ୨ଟି ମୋବାଇଲ ଜବତ କରିଛି । ଆସନ୍ତା କାଲି ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଏଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନ ଓ ଥାନାଧିକାରୀ କଲ୍ୟାଣୀ ବେହେରା ସୂଚନା ଦେଇଛନ୍ତି । ସୂଚନାନୁଯାୟୀ, ଗତ ୨୭ତାରିଖ ଦିନ କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଥାନା ଅନ୍ତର୍ଗତ ଦୀନବନ୍ଧୁ ଗଡ଼ତିଆ ଠକାମୀର ଶିକାର ହୋଇଥିବା ନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ, ଟିଟିଲାଗଡ଼ ସର୍ଗିଗୁଡ଼ାର ଟଙ୍କଧର ପୁଟେଲ ଓରଫ ଓମ୍ ପ୍ରକାଶ, ସଇନ୍ତଳା ଥାନା ସିକାପତ୍ରାପାଲି ଗାଁର ସତ୍ୟନାରାୟଣ କୁମ୍ଭାର, ସୋନପୁର ଥାନାପତିପଡ଼ାର ଗିରିଗୋବଦ୍ଧନ ଥାନାପତି ଓ ମୁରିବାହାଲ ଥାନା ଲଖନା ଗାଁର ହରିଶ ପଟେଲ ଓରଫ ପିଙ୍କୁ ଏକଲକ୍ଷ ଟଙ୍କା ବଦଳରେ ୧ କୋଟି ଟଙ୍କା ମିଳିବ ବୋଲି ଦୀନବନ୍ଧୁଙ୍କୁ ପ୍ରବର୍ତ୍ତାଇ ଥିଲେ । ଲୋଭରେ ଦୀନବନ୍ଧୁ ବ୍ୟାଙ୍କ୍ ଆକାଉଣ୍ଟ ଓ ଫୋନ-ପେ ଜରିଆରେ ସେମାନଙ୍କୁ ୧୫ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ଦୃର୍ବୁତ୍ତମାନେ ଟଙ୍କା ଦେବା ପରିବର୍ତ୍ତେ ସମୟ ଗଡ଼େଇ ଚାଲିଥିଲେ । ଟଙ୍କା ମାଗିବାରୁ ଅଭିଯୁକ୍ତମାନେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ଦିନବନ୍ଧୁ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ଏଥିସହ ସେମାନଙ୍କଠାରୁ ନଗଦ ୧୪ ଲକ୍ଷ ୪୬ ହଜାର ୧୦୦ ଟଙ୍କା, ୨ଟି ଚାରିଚକିଆ ଏବଂ ୨ଟି ମୋବାଇଲ ପୋଲିସ ଜବତ କରିଛି ।

jittmm
Leave A Reply

Your email address will not be published.