ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ିବା ଘଟଣା : ସ୍ଥିତି ପରିଦର୍ଶନରେ ଗଲେ ପିସିସି ସଭାପତି

ବୌଦ୍ଧ : ନିର୍ମାଣାଧୀନ ଖୋର୍ଦ୍ଧା-ବଲାଙ୍ଗିର ରେଳଲାଇନ୍‌ରେ ସୋମବାର ଘଟିଛି ବଡ଼ ଅଘଟଣ । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍ ଆଡ଼େଣୀଗଡ଼ଠାରେ ୪ ନମ୍ବର ଟନେଲର ଉପରି ଭାଗ ମାଟି ଭୁଶୁଡ଼ି ପଡ଼ିଛି । ମଙ୍ଗଳବାର ଘଟଣାସ୍ଥଳ ପରିଦର୍ଶନରେ ଯାଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ତାଙ୍କ ସହିତ ରାଜ୍ୟ କଂଗ୍ରେସର ଉପ-ସଭାପତି ସନ୍ତୋଷ ସିଂ ସାଲୁଜା, ବିଧାୟକ ରାଜନ୍ ଏକ୍କା ସାମିଲ ଅଛନ୍ତି । ପ୍ରତିନିଧି ଦଳର ଗସ୍ତ ସମୟରେ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର, ବରିଷ୍ଠ ନେତା ଶାନ୍ତନୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ, ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ୪ଟି ଟନେଲ୍ କାମ ଚାଲୁ ରହିଛି । ସୋମବାର ଦିନ ଆଡ଼େଣିଗଡ଼ ନିକଟସ୍ଥ କଖାରୁଫାଳ ଠାରେ ନିର୍ମାଣଧିନ ୪ ନମ୍ବର ଟନେଲର ଉପରି ଭାଗରେ ମାଟି ଧସି ପ୍ରାୟ ୩୦ ଫୁଟ୍ ଚଉଡ଼ାର ଏକ ଗର୍ତ୍ତ ସୃଷ୍ଟି ହୋଇଛି । ଏହି ଟନେଲର ଲମ୍ବ ୪ କିଲୋମିଟରରୁ ଅଧିକ ହେବ । ଢିଲା ମାଟି ଗଠନ ଏବଂ ଅଞ୍ଚଳରେ ନିରନ୍ତର ବର୍ଷା ଯୋଗୁଁ ହାଲୁକା ମାଟି ଧସିବାରୁ ଏପରି ଅଘଟଣ ଘଟିଛି ବୋଲି ରେଳ ବିଭାଗ ସ୍ପଷ୍ଟ କରିଛି । ତେବେ ଦୁର୍ଘଟଣାରେ କାର୍ଯ୍ୟରତ ଶ୍ରମିକ କିମ୍ବା ଯନ୍ତ୍ରପାତି ଉପରେ କୌଣସି ପ୍ରଭାବ ପଡ଼ିନାହିଁ, ଏବଂ ଏହି ଘଟଣା ପ୍ରକଳ୍ପର ସାମଗ୍ରିକ ଅଗ୍ରଗତିକୁ ପ୍ରଭାବିତ କରିବ ନାହିଁ । ସମସ୍ତ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, ଏବଂ ଯୋଜନା ଅନୁଯାୟୀ କାମ ଜାରି ରହିଛି ବୋଲି ରେଳ ବିଭାଗ ସ୍ପଷ୍ଟୋକ୍ତି ଦେଇଛି ।

jittmm
Leave A Reply

Your email address will not be published.