ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଫାଣ୍ଡିକୁ ଥାନା ଭାବେ ଘୋଷିତ

• ଏନେଇ ସ୍ଥାନୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିମଖଣ୍ଡି ଫାଣ୍ଡିକୁ ଉନ୍ନତିକରଣ କରି ବିଧିବଦ୍ଧ ଭାବରେ ଥାନାରେ ପରିଣତ କରିବାକୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ବହୁଦିନର ଦାବୀ କରି ଆସିଥିଲେ । ବହୁଦିନର ସଂଗ୍ରାମ ଏବଂ ସ୍ଥାନୀୟବାସୀଙ୍କ ଆବଶ୍ୟକତାକୁ ସମ୍ମାନ ଦେଇ ଗତକାଲି ସରକାର ନିମଖଣ୍ଡି ଫାଣ୍ଡିକୁ ଥାନା ଭାବେ ମାନ୍ୟତା ଦେଇ ଘୋଷଣା କରିଥିବାରୁ ବ୍ରହ୍ମପୁର ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାସ, ବ୍ରହ୍ମପୁର ପୋଲିସ ଜିଲ୍ଲା ପୂର୍ବତନ ଆରକ୍ଷୀ ଅଧିକ୍ଷକ ପିନାକୀ ମିଶ୍ର ଏବଂ ବର୍ତ୍ତମାନର ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକଙ୍କ ଆନ୍ତରିକ ଉଦ୍ୟମ ଏବଂ ପ୍ରଚେଷ୍ଟା ପାଇଁ ସଭିଙ୍କୁ ଧନ୍ୟବାଦ, ସାଧୁବାଦ ଓ କୃତଜ୍ଞତା ଜଣାଇବା ସହ ସହର ତଳି ଅଞ୍ଚଳବାସୀଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ସହର ତଳି ଅଞ୍ଚଳର ବଢ଼ି ଚାଲିଥିବା ଭୌଗଳିକ ଅବସ୍ଥିତି ଓ ପରିସୀମା ଏବଂ ଲୋକ ସଂଖ୍ୟାର ଅହେତୁକ ଅଭିବୃଦ୍ଧି ହୋଇ ଚାଲିଥିବା ବେଳେ ସମାନ୍ତରାଳ ଭାବେ ସେହି ସବୁ ସହର ତଳି ଅଞ୍ଚଳରେ ଚୋରି, ଡକାୟତି, ରାହାଜାନୀ, ନକଲି ସାମଗ୍ରୀ ପ୍ରସ୍ତୁତି ଏବଂ ଅନ୍ୟ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇ ଚାଲିଥିଲା । କିନ୍ତୁ ବିଡ଼ମ୍ବନାର ବିଷୟ ହେଲା ଅଧିକାଂଶ ସହର ତଳି ଅଞ୍ଚଳ ସହର ସନ୍ନିକଟରେ ଅବସ୍ଥିତ ଥିବାବେଳେ ଆଇନ ଶୃଙ୍ଖଳା ଏବଂ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ଏହି ସବୁ ଅଞ୍ଚଳର ସୁଦୂର ୧୪ କିଲୋମିଟର ଦୂରରେ ଥିବା ଅଙ୍କୁଶପୁରର ସଦର ଥାନା ଉପରେ ନ୍ୟସ୍ତ ଥିଲା । ଯାହା ଫଳରେ କୌଣସି ଅଘଟଣ ଘଟିଲେ ପୋଲିସ ତତ୍‌କ୍ଷଣାତ ପହଞ୍ଚି ସେବା ଦେବା ଜଟିଳ ବ୍ୟାପାର ଥିଲା । ଯଦିଓ ଏହି ସବୁ ଅସୁବିଧାକୁ ଦୃଷ୍ଟିରେ ରଖି ନିମଖଣ୍ଡିଠାରେ ଏକ ଫାଣ୍ଡି ସ୍ଥାପନା କରାଯାଇଥିଲା । କିନ୍ତୁ ଫାଣ୍ଡିର କ୍ଷମତା ଓ ଲୋକ ବଳ ସୀମିତ ଥିବାରୁ ଏବଂ ବିଶେଷକରି କୌଣସି ଅଭିଯୋଗ ଅବା’ ଏଫଆଇଆର ଗ୍ରହଣ କରିବାର ଅଧିକାର ନଥିବାରୁ ଲୋକଙ୍କୁ ସୁଦୂର ଅଙ୍କୁଶପୁରକୁ ଅଭିଯୋଗ / ଏଫଆଇଆର ଦେବା ପାଇଁ ବହୁ ଅସୁବିଧା ମଧ୍ୟରେ ଯିବାକୁ ପଡୁଥିଲା । ଏହି ସବୁ ଅସୁବିଧା ଏବଂ ତଥ୍ୟକୁ ଆଖି ଆଗରେ ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ନିମଖଣ୍ଡି ଫାଣ୍ଡିକୁ ଥାନାରେ ପରିଣତ କରିବାକୁ ଏବଂ ସଂପୃକ୍ତ ଫାଣ୍ଡିକୁ ବ୍ରଜନଗର ସ୍ଥାନାନ୍ତର କରିବାକୁ ଦୀର୍ଘ ୮ ବର୍ଷ ହେଲା ସରକାରଙ୍କ ନିକଟରେ ନିରନ୍ତର ଭାବରେ ଦାବୀ କରାଯାଇ ଆସୁଥିଲା । ପରିଶେଷରେ ସରକାର କମିଟିର ଦାବୀ ଓ ଅଞ୍ଚଳବାସୀଙ୍କ ଭାବାବେଗକୁ ଅନୁଭବ କରି ଓ ସମ୍ମାନ ଦେଇ ନିମଖଣ୍ଡି ଫାଣ୍ଡିକୁ ଥାନାରେ ପରିଣତ କରିଥିବାରୁ କମିଟି କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଖୁସିବ୍ୟକ୍ତ କରିଛନ୍ତି । ନିମଖଣ୍ଡି ଫାଣ୍ଡି ଥାନାରେ ପରିଣତ ହେଲା ପରେ ନୂତନ ଥାନାରେ ଜଣେ ଆଇଆଇସି ନିଯୁକ୍ତ ହେବା ସହ ଅନେକ ପୋଲିସ ଅଧିକାରୀ ନିଯୁକ୍ତ ହେବାର ସମ୍ଭାବନା ଥିବାରୁ ସହର ତଳି ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତିରେ ଯଥେଷ୍ଟ ଉନ୍ନତ ହେବା ସହ ଅପରାଧିକ କାର୍ଯ୍ୟକଳାପ ଅନେକାଂଶରେ ନିୟନ୍ତ୍ରଣାଧୀନ ହୋଇପାରିବ ବୋଲି କମିଟି ପକ୍ଷରୁ ଆଶା ପ୍ରକାଶ କରାଯାଇଛି । ସେହିଭଳି ସଦର ଥାନାର ଇଲାକା ଯଥେଷ୍ଟ ଅଧିକ ଓ ବଡ଼ ଥିବାରୁ ସେହି ଥାନା ମଧ୍ୟ ଅନେକ ସମସ୍ୟା ଭୋଗୁଥିଲା ଯାହା ନିମଖଣ୍ଡି ଥାନା ପ୍ରତିଷ୍ଠା ପରେ ଅନେକାଂଶରେ ଲୋକଙ୍କ ସମସ୍ୟା ଲାଘବ ହେବ । ଲୋକେ ଏହାର ସୁଫଳ ପାଇବେ ବୋଲି ଆଲୋଚନାର ବିଷୟ ହୋଇଛି ।

Leave A Reply

Your email address will not be published.