ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଧର୍ମଶାଳା – ବୀରମହାରାଜପୁର ରାସ୍ତାରେ ଆଜି ଏକ ଭୟଙ୍କର ଦୁର୍ଘଟଣା ଘଟି ଯାଇଛି । ସ୍କୁଟି ଯୋଗେ ମହଦାକୁ ଯାଉଥିବା ସମୟରେ ସ୍ଥାନୀୟ କୁମରକେଲି ଗ୍ରାମର ଶରଦ ମହାପାତ୍ରଙ୍କୁ ଟ୍ରକ ପିଟି ଦେବା ସହ ମହଦାରୁ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ଘୋଷାଡ଼ି ଭୂଦୋବର ଛକ ପାଖାପାଖି ପର୍ଯ୍ୟନ୍ତ ନେଇଯାଇଥିଲା । ସ୍ଥାନୀୟ ଲୋକେ ଟ୍ରକ ଡ୍ରାଇଭରଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ହେଁ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ମାରିଥିଲା । ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ ନମ୍ବରଟି ହେଲା ଓଡି୧୫ ଏବି-୪୪୨୬ ବୋଲି ଜଣାପଡ଼ିଛି । ଘଟଣାର ଖବର ପାଇ ବୀରମହାରାଜପୁର ଅଗ୍ନିଶମ ବାହିନୀ ଅଧିକାରୀ ପ୍ରବୀର ଦାସ ଓ ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ । ବୀରମହାରାଜପୁର ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।