ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ଦୁଇଦିନ ପୂର୍ବରୁ କର୍ଣ୍ଣାଟକ କଂଗ୍ରେସ ଦଳ ପକ୍ଷରୁ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବା ନେଇ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଥିବା ବେଳେ ଏହାକୁ ଦୃଢ଼ ଭାବରେ ନିନ୍ଦା କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ । ଏହି ପରିପ୍ରେକ୍ଷୀରେ ଭିଏଚପି ନେତା ଶ୍ରୀ କୁସୁମ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ ସେବା, ସୁରକ୍ଷା ଓ ସଂସ୍କାରକୁ ପାଥେୟ କରି ସାରା ଦେଶର ପୁରପଲ୍ଲୀରେ ନିସ୍ଵାର୍ଥପର ଭାବରେ କାର୍ଯ୍ୟ କରୁଥିବା ବଜରଙ୍ଗ ଦଳକୁ ନିଷିଦ୍ଧ ଘୋଷଣା କରିବାର ମନୋଭାବ ଅତ୍ୟନ୍ତ ନିନ୍ଦନୀୟ । କାରଣ ୧୯୮୪ ମସିହାରେ ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନରୁ ଜନ୍ମ ନେଇଥିବା ବଜରଙ୍ଗ ଦଳ ଦୀର୍ଘ ୪୦ ବର୍ଷ ଧରି ଭାରତର ଆତ୍ମା ରୂପୀ ସନାତନ ହିନ୍ଦୁ ସଂସ୍କୃତିର ସୁରକ୍ଷା ଓ ସମ୍ୱର୍ଦ୍ଧନା ପାଇଁ କାର୍ଯ୍ୟ କରି ଆସିଥିବା ବେଳେ ଦେଶର ସୁରକ୍ଷା ଓ ଅଖଣ୍ଡତା ପାଇଁ ସବୁ ସମୟରେ ଉଦ୍ୟମ କରିଛି । ତା’ସହିତ ଦେଶରେ ଚାଲିଥିବା ତୁଷ୍ଟିକରଣ ଶାସନ ବ୍ୟବସ୍ଥା ଯୋଗୁଁ ଅନେକ ସ୍ଥାନରେ ହିନ୍ଦୁମାନେ ଅସୁରକ୍ଷିତ ଅବସ୍ଥାରେ ଜୀବନ ଅତିବାହିତ କରୁଥିବା ବେଳେ ସମ୍ପୃକ୍ତ ସ୍ଥାନ ଗୁଡିକରେ ବଜରଙ୍ଗ ଦଳ ହିନ୍ଦୁ ସମାଜର ସୁରକ୍ଷା ନିମନ୍ତେ ପାଚେରୀ ଭଳି ଛିଡା ହୋଇଛି । ଦେଶରେ ବେଆଇନ ଭାବରେ ଚାଲିଥିବା ଧର୍ମାନ୍ତରୀକରଣ, ଗୋ-ହତ୍ୟା, ଲବଜିହାଦ ଆଦିକୁ ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ କରି ଆସିଥିବା ବେଳେ ଏହାର ଭୟାବହତା ସମ୍ୱନ୍ଧରେ ସାରା ଦେଶରେ ସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରିଛି । ତେବେ ଭାରତୀୟ ସଂସ୍କୃତିର ସୁରକ୍ଷା ଏବଂ ଦେଶର ଏକଥା ଓ ଅଖଣ୍ଡତା ପାଇଁ ସମର୍ପିତ ଥିବା ଏକ ସାମାଜିକ ଅନୁଷ୍ଠାନକୁ ପ୍ରୋତ୍ସାହିତ କରିବା ପରିବର୍ତ୍ତେ କ୍ଷମତାକୁ ଆସିଲେ ଓଲଟା ତାକୁ ନିଷିଦ୍ଧ କରିବାର ଘୋଷଣା ଅରାଷ୍ଟ୍ରୀୟତାର ପରିଚୟ ବୋଲି ଶ୍ରୀ କୁସୁମ କହିଥିବା ବେଳେ ଏଭଳି ମନୋଭାବରୁ ନିବୃତ୍ତ ରହିବାକୁ ସେ କଂଗ୍ରେସ ଦଳକୁ ପରାମର୍ଶ ଦେଇଛନ୍ତି ।
Prev Post