ପ୍ରଧାନମନ୍ତ୍ରୀ ଫସଲବୀମାକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ବଡ ଘୋଷଣା : ଧନ୍ୟବାଦ ଜଣାଇଲେ ବରଗଡ ଜିଲ୍ଲା ବିଜେପି ସଭାପତି
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରରେ ଫସଲବୀମାର କ୍ଷତିପୂରଣ ପାଇବାକୁ ନେଇ ଚାଷୀମାନେ ଅନେକ ଦିନଧରି ଆନ୍ଦୋଳନ କରୁଛନ୍ତି । ଚାଷୀଙ୍କ ସମସ୍ୟା ସମ୍ପର୍କରେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ “କୃଷକ ସଂଗଠନ” ଓ “ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି” ସହ ଆଲୋଚନା କରିବା ପରେ ଆଜି ଦିଲ୍ଲୀରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହ ଆଲୋଚନା କରିଥିଲେ । ଚାଷୀ ଓ ଶ୍ରୀ ପ୍ରଧାନଙ୍କ ଆଲୋଚନା ପରେ କେନ୍ଦ୍ର କୃଷିମନ୍ତ୍ରୀ ଚାଷୀମାନେ ଫସଲ ବୀମା କ୍ଷତିପୂରଣ ପାଇବା ନେଇ ଦୃଢ଼ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଏବଂ ଏଚ୍ଡିଏଫ୍ସି ବୀମା କମ୍ପାନୀଙ୍କୁ କ୍ଷତିପୂରଣ ରାଶି ତୁରନ୍ତ ପ୍ରଦାନ ପାଇଁ ତାଗିଦ୍ କରିଛନ୍ତି । ପଦ୍ମପୁର ଚାଷୀମାନେ ସେମାନଙ୍କ ହକ୍ ପାଇବାର ରାସ୍ତା ଫିଟିଛି । ଚାଷୀ ସମସ୍ୟାକୁ ସମାଧାନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ବରଗଡ ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଏବଂ ବରଗଡ ଜିଲ୍ଲାବାସୀ ତରଫରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଚାଷୀମାନଙ୍କ ସମସ୍ୟା ଲାଗି ସର୍ବଦା ଆଗଭର ହୋଇ ଲଢ଼ୁଥିଲେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ । ଗତକାଲି ମଧ୍ୟ ଚାଷୀଙ୍କ ସମସ୍ୟା କାରଣରୁ ଶ୍ରୀ ପୁରୋହିତ ପଦ୍ମପୁର ଉପନିର୍ବାଚନର ନାମାଙ୍କନ ପତ୍ର ଦାଖଲ ନକରି ଚାଷୀମାନଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ । ରାଜ୍ୟ ସରକାର ଓ ବୀମା କମ୍ପାନୀମାନଙ୍କ ଭିତରେ ଚାଲିଥିବା ମଧୁଚନ୍ଦ୍ରିକା ପାଇଁ ଚାଷୀମାନେ ଫସଲ ବୀମା କ୍ଷତି ପୂରଣ ପାଉ ନାହାନ୍ତି ଯାହାର ପ୍ରତିବାଦରେ ଚାଷୀମାନେ ଅନେକ ଦିନ ଧରି ଚଲାଇ ଆସିଥିବା ଆନ୍ଦୋଳନ ପ୍ରତି ଶ୍ରୀ ପୁରୋହିତ ସବୁବେଳେ ସମର୍ଥନ ଦେଇଆସିଛନ୍ତି ।