
ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ବର୍ଷା ଓ ବନ୍ୟା ଦ୍ଵାରା ପ୍ରଭାବିତ ୨୪ଟି ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨୮ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ମଞ୍ଜୁର କରିଛନ୍ତି । ଏଥିରେ ଘର ମରାମତି ସହ ବିଭିନ୍ନ ପ୍ରକାର ଚାଷ, ମତ୍ସ୍ୟଜୀବୀ, ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର ପାଇଁ ସହାୟତା ବ୍ୟବସ୍ଥା କରାଯାଇଛି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରଭାବିତ ଜିଲ୍ଲାବାସୀଙ୍କ ଖାଦ୍ୟପେୟ ବ୍ୟବସ୍ଥା ଓ ସର୍ବସାଧାରଣ ଭିତ୍ତିଭୂମି ସଜାଡ଼ିବା ପାଇଁ ବର୍ତ୍ତମାନ ସୁଦ୍ଧା ₹୧୦୦ କୋଟିରୁ ଅଧିକ ମଞ୍ଜୁର ହୋଇଛି । ପ୍ରଭାବିତମାନେ ଯେପରି ତୁରନ୍ତ ସହାୟତା ପାଇବେ ତାହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
