କଚ୍ଚାଘର ବଦଳରେ ପକ୍କାଘରବାଲାଙ୍କୁ ମିଳୁଛି ଆବାସ ଯୋଜନା : ତଦନ୍ତ ଦାବୀରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ବାଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାର ଗରିବ ଜନସାଧାରଣଙ୍କ ପାଇଁ ଆବାସ ଯୋଜନାରେ ଘର ଯୋଗଇ ଦେଉଛନ୍ତି । କିନ୍ତୁ ବଡାବଡିଆ ଓ କର୍ତ୍ତୃପକ୍ଷଙ୍କ ପ୍ରିୟା ପ୍ରୀତି ଯୋଗୁଁ ଗରିବଙ୍କ ବଦଳରେ ପକ୍କା ଘର ବାଲଙ୍କୁ ଆବାସ ଯୋଜନା ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ଲୋଇସିଂହା ବ୍ଲକ ହୀରାପୁର ଗ୍ରାମ ପଞ୍ଚୟତର ଟେଭାଡୁଙ୍ଗୁରି ଗ୍ରାମବାସୀ । ଉକ୍ତ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡ ଓ ଗରିବଙ୍କୁ ତାଙ୍କର ହକ ଦେବା ଦାବୀରେ ଆଜି ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବା ସହ ଜିଲ୍ଲାପାଳ ଚଂଚଳ ରାଣାଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ଟେଭାଡୁଙ୍ଗୁରି ଗ୍ରାମରେ ଆବାସ ଯୋଜନା ଅବଣ୍ଟନ ପୂର୍ବରୁ ବିଭାଗୀୟ ସର୍ଭେ କରାଯାଇଥିଲା । ଏହି ସର୍ଭେର କାଗଜ ପତ୍ରକାମ ଗ୍ରାମର ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଘରେ ବନ୍ଦ କୋଠରୀ ଭିତରେ ହୋଇଥିବା ବେଳେ ହିତାଧିକାରୀ ଚୟନରେ ସ୍ପଷ୍ଟ ଭେଦ ଭାବ କରାଯାଇଥିଲା । ଫଳରେ ଗରିବ କଚ୍ଚାଘର ବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ ଆବାସ ଯୋଜନା ସେମାନଙ୍କୁ ନମିଳି ପକ୍କାଘରବାଲାଙ୍କୁ ଦିଆଯାଇଛି । ଏହି ଦୁର୍ନୀତି ବିଷୟରେ ଗ୍ରାମବାସୀ ବିଡିଓ ଓ ଲୋଇସିଂହା ବିଧାୟକଙ୍କୁ ଲିଖିତ ଭାବେ ଅଭିଯୋଗ କଲାପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ ଉକ୍ତ ଘଟଣାର ସବିଶେଷ ତଦନ୍ତ କରାଯାଇ ଗରିବଙ୍କୁ ତାଙ୍କ ହକର ଆବାସ ଓ ଦୋଷୀଙ୍କୁ ଦଣ୍ଡ ଦିଆଯାଉ ବୋଲି ଟେଭାଡୁଙ୍ଗୁରିବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.