ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବୀରେ ସ୍ଥାନୀୟ ବ୍ଲକ ସହିତ ଡାକ୍ତରଖାନା ଘେରାଓ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବୀରେ ସୋମବାର ଖପ୍ରାଖୋଲ ବ୍ଲକ ଯୁବମଞ୍ଚ ନେତୃତ୍ୱରେ ଅଞ୍ଚଳର ଶହ ଶହ ମହିଳା ଓ ପୁରୁଷ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ପାଟଣାଗଡ଼ ଉପଜିଲ୍ଲାପାଳ, ଖପ୍ରାଖୋଲ ବିଡ଼ିଓ ଏବଂ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜିଲ୍ଲାପାଲଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେଇଥିବା ଜଣାପଡ଼ିଛି । ପ୍ରଥମେ ବିକ୍ଷୋଭକାରୀମାନେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଖପ୍ରାଖୋଲ ବିଡ଼ିଓ ବିଜୟକୁମାର ହୋତାଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ ପରେ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଖପ୍ରାଖୋଲ ବ୍ଲକରେ ପହଞ୍ଚିଥିବାରୁ ତାଙ୍କୁ ମଧ୍ୟ ଏକ ଦାବୀପତ୍ର ପ୍ରଦାନ କରାଯାଇଥିବା ବେଳେ ବ୍ଲକରୁ ଶୋଭାଯାତ୍ରାରେ ବାହାରି ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁରଜ ଦୀପଙ୍କୁ ମଧ୍ୟ ଦାବୀପତ୍ର ଦେଇଥିବା ଜଣାପଡିଛି । ଉକ୍ତ ଦାବୀପତ୍ରରେ ଉଲ୍ଲେଖ ଅଛି ଯେ, ଖପ୍ରାଖୋଲ ଡାକ୍ତରଖାନରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରାଯାଉ । ଖପ୍ରାଖୋଲ ଅଞ୍ଚଳ ଏକ ଗରିବ ଦାଦନ ପ୍ରବଣ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ଅଟେ ଏଠିକାର ଜନସାଧାରଣ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିର୍ଭର କରିଥାନ୍ତି । କିନ୍ତୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ତ ଦୂରର କଥା ଲୋକେ ଖର୍ଚ୍ଚାନ୍ତ ହୋଇ ହଇରାଣ ହେଉଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ ଓ ଜଣେ ଭେଷଜ ବିଶେଷଜ୍ଞ ରହିବା ସହିତ ପାଞ୍ଚ ଜଣ ଏମ୍‌ବିବିଏସ୍‌ ଡାକ୍ତର ରହିବା କଥା କିନ୍ତୁ ଏଠାରେ କୌଣସି ବିଶେଷଜ୍ଞ ଡାକ୍ତର ନଥିବା ବେଳେ ଲୋକେ ସାଧାରଣ ସ୍ୱାସ୍ଥ୍ୟ ବିଗିଡ଼ିଲେ ପାଟଣାଗଡ଼ ଓ ବଲାଙ୍ଗିର ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହୋଇ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ଯଦି ଆସନ୍ତା ୮ ଦିନ ମଧ୍ୟରେ ଏହାର ସମାଧାନ ନ ହେଲେ ବଡଧରଣର ଆନ୍ଦୋଳନ ସହିତ ଅନଶନ କରାଯିବ ବୋଲି ବିକ୍ଷୋଭକାରୀ ଚେତାବନୀ ଦେଇଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଖପ୍ରାଖୋଲ ବ୍ଲକ ଯୁବକ ମଞ୍ଚ ସହ ଏହି ଅଞ୍ଚଳର ବୁଦ୍ଧିଜୀବୀ, ସ୍ୱେଛାସେବୀ, ସମାଜସେବୀ ସମେତ ଶତାଧିକ ମହିଳା ଓ ଯୁବକ ଯୋଗଦେଇଥିଲେ ।

Leave A Reply

Your email address will not be published.