oom

ଯୁବ ଡାକ୍ତରଙ୍କୁ ମାଡ଼ ଘଟଣାର ଖୁଲାସା କଲେ ଏସ୍‌ଡ଼ିପିଓ ତୋଫାନ ବାଗ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ୍‌ ଓ ହସ୍‌ପିଟାଲ୍‌ର ଯୁବ ଡାକ୍ତରଙ୍କୁ ମାଡ଼ ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏକ ପ୍ରେସ୍‌ମିଟ୍‌ ଆହ୍ୱାନ କରି ଘଟଣାର ସଂପୂର୍ଣ୍ଣ ଖୁଲାସା କରିଛନ୍ତି ଏସ୍‌ଡ଼ିପିଓ ତୋଫାନ ବାଗ । ଦିଆଯାଇଥିବା ସୂଚନା ଅନୁସାରେ ଗତ ୨୮ ତାରିଖ ଦିନ ଅପରାହ୍ନ ପ୍ରାୟ ୫ଟା ୧୫ରେ ଆଉଟ୍‌ ଡୋର୍‌ ଡ୍ୟୁଟି ସାରି ସାଥୀ ଡାକ୍ତରଙ୍କ ସହିତ ଗାଇନିକ୍‌ ଡାକ୍ତର ବିଶ୍ୱରଂଜନ ସାହୁ ବାଇକ୍‌ ଯୋଗେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ୍‌ ଓ ହସ୍‌ପିଟାଲ୍‌କୁ ଫେରୁଥିବା ବେଳେ ଲାଲଟିକ୍ରା ଗ୍ରୀଡ଼୍‌ ନିକଟସ୍ଥ ଗ୍ୟାରେଜ ପାଖରେ ତାଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଆସି ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଡାକ୍ତର ବିଶ୍ୱରଂଜନଙ୍କୁ ତୁରନ୍ତ ଭୀମଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ଘଟଣା ସଂପର୍କରେ ବିବିଏମ୍‌ସିଏଚ୍‌ ସୁପରିଷ୍ଟେଣ୍ଡେଣ୍ଟ ଡା.ମାନସୀ ପଣ୍ଡା ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ । ଅନ୍ୟପଟେ ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ମେଡ଼ିକାଲ୍‌ ଛାତ୍ରଛାତ୍ରୀ ବିବିଏମ୍‌ସିଏଚ୍‌ ଗେଟ୍‌ ସମ୍ମୁଖରେ ଧାରଣାରେ ବସିଥିଲେ । ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଥିବା ବେଳେ ତାଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଟାଉନ୍‌ ଥାନା ଆଇଆଇସି ବିଶ୍ୱଜିତ ମନବୋଧଙ୍କ ନେତୃତ୍ୱରେ ବଲାଙ୍ଗିର ପୋଲିସ ଏକ ମଲ୍‌ଟିପଲ୍‌ ଟିମ୍‌ ଗଠନ କରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ୨୮ ତାରିଖ ରାତି ସାରା ଖୋଜାଖୋଜି ପରେ ୨୯ ତାରିଖ ଦିନ କନ୍ଧମାଳ ଜିଲ୍ଲା ଗୋଛାପଡ଼ାରୁ ୨ ଅଭିଯୁକ୍ତ ସମୀର ବଡ଼ମାଲି(୨୬) ଏବଂ ଲିପୁନ ଓରଫ୍‌ ରାଜୁ ସାହୁ(୨୪)ଙ୍କୁ ଗିରଫ୍‌ କରାଯାଇଥିଲା । ଅଭିଯୁକ୍ତମାନଙ୍କଠାରୁ ଘଟଣାରେ ବ୍ୟବହୃତ ଗୋଟିଏ ଷ୍ଟିଲ୍‌ ମୁଠି ପଞ୍ଚ ସହ ଗୋଟିଏ ବାଇକ୍‌ ଜବତ୍‌ କରାଯାଇଛି । ସଂପୃକ୍ତ ଦୁଇ ଅଭିଯୁକ୍ତ ପୂର୍ବରୁ ଏକ ଡକାୟତି ଘଟଣାରେ ମଧ ସଂଶ୍ଲିଷ୍ଟ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୁଖ୍ୟ ଅଭିଯୁକ୍ତ ସମୀରଙ୍କ ପତ୍ନୀଙ୍କୁ ଚିକିତ୍ସା ବେଳେ ଡାକ୍ତର ବିଶ୍ୱରଂଜନ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାରୁ ସେମାନେ ଆକ୍ରମଣ କରିଥିବା ପୋଲିସ ଆଗରେ କହିଥିବା ଏସ୍‌ଡ଼ିପିଓ ଶ୍ରୀ ବାଗ କହିଛନ୍ତି । ଅନ୍ୟ ପକ୍ଷରେ ଅଭିଯୁକ୍ତ ସମୀରଙ୍କ ପତ୍ନୀ ଡାକ୍ତର ବିଶ୍ୱରଂଜନଙ୍କ ନାମରେ ଟାଉନ ଥାନାରେ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗ କରିଥିବା ମଧ୍ୟ କୁହାଯାଇଛି । ଏଦିଗରେ ମଧ୍ୟ ପୋଲିସ ତଦନ୍ତ କରିବ ବୋଲି ଏସ୍‌ଡ଼ିପିଓ କହିଛନ୍ତି ।

jittmm
Leave A Reply

Your email address will not be published.