ବରଗଡ଼ ଜିଲ୍ଲା ଏମ୍‌ ଶ୍ରୀଗିଡା ଗ୍ରାମରେ ଏକ ବଡ଼ ଧରଣର ଚୋରି ଘଟଣା

ବିଜେପୁର, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଏମ୍‌ ଶ୍ରୀଗିଡା ଗ୍ରାମରେ ଗତକାଲି ରାତିରେ ଏକ ବଡ଼ ଧରଣର ଚୋରି ଘଟଣା ଘଟିଥିବା ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ, ଗ୍ରାମର ସୌଭାଗ୍ୟ ମେହେର ଓ ତାଙ୍କ ପରିବାର ସଦସ୍ୟମାନେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଦେଖିବା ପାଇଁ ଘର ବାହାରକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଏହି ସୁଯୋଗକୁ ନେଇ ଘରର ପଛପଟୁ ଭିତରକୁ ପ୍ରବେଶ କରିଥିବା ଅନୁମାନ କରାଯାଉଛି । ଦୁର୍ବୃତ୍ତମାନେ ଘର ଭିତରୁ ପ୍ରାୟ ୭ ଭରି ସୁନା ଗହଣା, ୪ ଲକ୍ଷ ୫୦ ହଜାର ଟଙ୍କା ନଗଦ ସହିତ ଏକ ବଜାଜ ପଲସର ମୋଟରସାଇକେଲ ଚୋରି କରି ନେଇଥିବା ସୌଭାଗ୍ୟ ମେହେର ବିଜେପୁର ଥାନାରେ ଅଭିଯୋଗ କରିଛନ୍ତି । ରାତିରେ ଧନୁଯାତ୍ରା ଦେଖି ଘରକୁ ଫେରି ଆସିବା ପରେ ଘରର ସମସ୍ତ ସାମଗ୍ରୀ ଅସ୍ତବ୍ୟସ୍ତ ଅବସ୍ଥାରେ ଥିବା ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟଚକିତ ହୋଇଥିଲେ । ତୁରନ୍ତ ଏହି ଘଟଣା ସମ୍ପର୍କରେ ବିଜେପୁର ପୋଲିସକୁ ସୂଚନା ଦିଆଯାଇଥିଲା । ସୂଚନା ପାଇବା ପରେ ବିଜେପୁର ପୋଲିସ ସହ ବରଗଡ଼ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାର ସୂତ୍ର ଧରିବା ପାଇଁ ସନ୍ଧାନୀ କୁକୁରକୁ ମଧ୍ୟ ନିୟୋଜିତ କରାଯାଇଛି । ଏହି ଘଟଣାରେ ଶ୍ରୀଗିଡା ଗ୍ରାମର ଦେବାନନ୍ଦ ଭୋଇଙ୍କୁ ବିଜେପୁର ଥାନାକୁ ନେଇ ପୋଲିସ ପଚରାଉଚରା କରୁଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି । ଘଟଣାକୁ ନେଇ ଶ୍ରୀଗିଡା ସହ ଆସପାସ ଅଞ୍ଚଳରେ ଭୟ ଓ ଅସୁରକ୍ଷାର ଭାବନା ଦେଖାଦେଇଛି ।

Leave A Reply

Your email address will not be published.