ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଅନ୍ତର୍ଗତ କଦଳୀଝରଣ ଗାଁରେ ମନରେଗା ଯୋଜନାରେ ହୋଇଥିବା ଭାଲୁପତରା ଟ୍ୟାଙ୍କ ଖନନ କାର୍ଯ୍ୟରେ ଶ୍ରମିକଙ୍କ ଟଙ୍କା ହଡପ କରିଥିବା ଘଟଣାର ତଦନ୍ତ ପାଇଁ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ଷଡ଼ଙ୍ଗୀ ଗୁରୁବାର ଗୋଟିଏ ଟିମ ଗଠନ କରି କଦଳୀଝରଣ ଗାଁକୁ ତଦନ୍ତ ପାଇଁ ପଠାଇଥିଲେ । ତଦନ୍ତକାରୀ ଅଧିକାରୀମାନେ ଭାଲୁପତରା ଟ୍ୟାଙ୍କ ଖନନ କାର୍ଯ୍ୟର ତଦନ୍ତ କରୁଥିବା ବେଳେ ଏହି ଅନିୟମିତତାରେ ସମ୍ପୃକ୍ତ ଥିବା କନିଷ୍ଠ ଯନ୍ତ୍ରୀ ଦିଲୀପ ରାଉତ ସେମାନଙ୍କୁ ଅଟ୍ଟହାସ୍ୟ କରି ତୁମେ ସମସ୍ତେ କାମର ତଦନ୍ତ ଠିକ ଭାବେ କରୁନାହଁ ବୋଲି ଯୁକ୍ତିତର୍କ କରୁଥିବା ଏବଂ ଚାପ ସୃଷ୍ଟି କରୁଥିବା ଦେଖିବାକୁ ମିଳିଥିଲା । ଏହା ସତ୍ୱେ ମଧ୍ୟ ଖପ୍ରାଖୋଲ ସହକାରୀ ଯନ୍ତ୍ରୀ ରାଜକିଶୋର ନାଏକ, ଜିପିଇଓ ପରମେଶ୍ୱର ନାଏକ, କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟଭାନୁ ମେହେର, ଏପିଇଓ ପ୍ରଶାନ୍ତ କୁମାର ସାହୁ, ସାମାଜିକ ସମୀକ୍ଷକ ଅଭୟ ତ୍ରିପାଠୀ ଦୁର୍ନୀତିର ତଦନ୍ତ କରି ବ୍ଲକ କାର୍ଯ୍ୟାଳୟକୁ ଫେରିଥିଲେ । ଏହି ବ୍ଲକ୍ ପାଇଁ ଏହା କିଛି ନୂଆକଥା ନୁହେଁ ମନରେଗା ଯୋଜନା ଠାରୁ ଆରମ୍ଭ କରି ଏସ୍ଏଫ୍ସି, ସିଏଫ୍ସି ଭଳି ଅନେକ ଯୋଜନାର ଅର୍ଥ ହରିଲୁଟ କରିଥାନ୍ତି କିଛି ଠିକାଦାର, ଯନ୍ତ୍ରୀ, ସରପଞ୍ଚ ଏବଂ ଗାଁ ସାଥିଙ୍କ ସହ ପଞ୍ଚାୟତ ଅଧିକାରୀ ମିଶି । ରାତା ରାତି କୋଟିପତି ହେବାର ସ୍ୱପ୍ନ ଦେଖା ଛାଡ଼ୁ ନାହାନ୍ତି ଏମାନେ । ହଁ ଆଜ୍ଞା ଏଥିରେ ସ୍ପଷ୍ଟ ଜଣାପଡିଛି ଯେ ମନରେଗା ଯୋଜନାରେ ଦାୟିତ୍ୱରେ ଥିବା କର୍ମଚାରୀ ଓ ଗାଁସାଥି ଉଭୟଙ୍କ ମଧ୍ୟରେ କାହାର କେତେ ଟଙ୍କା ଭାଗ ବଣ୍ଟା ହେଉଛି ଏଠାରୁ ସହଜରେ ଜଣାପଡୁଛି । ଆଗକୁ କାର୍ଯ୍ୟାନୁଷ୍ଠାନ ନାଁରେ କିଛି ଟଙ୍କା ରିକୋଭରି କରି ଦୋଷୀକୁ ଛାଡି ଦିଆଯାଉଥିବା ବେଳେ ସେମାନଙ୍କୁ ଆହୁରି ଦୁର୍ନୀତି କରିବା ପାଇଁ ପ୍ରୋତ୍ସାହନ ମିଳୁଥିବା ଭଳି ଘଟଣା ଆଗରୁ ମଧ୍ୟ ଦେଖିବାକୁ ମିଳିଛି । ହେଲେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଜଣାପଡିଛି ।