ଅସ୍ଥାୟୀ ମଣ୍ଡପରେ ବିଜେ କରିଛନ୍ତି ଦେବୀ : ବୁଧବାର ସନ୍ଧ୍ୟାରୁ ଆରମ୍ଭ ହେବ ଦେବୀଙ୍କ ଘଟଯାତ୍ରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟଣାମ୍ମାଙ୍କ ପାରମ୍ପରିକ ଠାକୁରାଣୀ ଯାତ୍ରା ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଛି । ସନ୍ଧ୍ୟାରେ ନବନିର୍ମିତ ଅସ୍ଥାୟୀ ମଣ୍ଡପରେ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା ହୋଇ ବର୍ଣ୍ଣାଢ଼୍ୟ ସମାରୋହରେ ମାଆଙ୍କୁ ଆମନ୍ତ୍ରଣ କରିବାକୁ ବାପ ଘର ଲୋକେ ଭୋଗ-ରାଗ ଧରି ଯାଇଥିଲେ । ମା’ଙ୍କୁ ପୂଜା ଆରାଧନା କରି ବାପ ଘରକୁ ଗମନ କରିବାକୁ ଆହ୍ୱାନ କରିବା ପୂର୍ବକ ଭୋଗ ଅର୍ପଣ, ପୂଜାର୍ଚ୍ଚନା ଆଦି କରାଯାଇଥିଲା । ଦେବୀ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ପରେ ମା’ଙ୍କ ମସ୍ତକରେ ଫୁଲ ଖସିଥିଲା । ଖସିଥିବା ପୁଷ୍ପ ପେନ୍ଥାକୁ ବରଣ କରି ଅଣାଯାଇ ବିରାଟ ପଟୁଆରରେ ବାହାରି ସହର ପରିକ୍ରମା କରି ମଙ୍ଗଳବାର ପ୍ରତ୍ୟୁଷରେ ଅସ୍ଥାୟୀ ମଣ୍ଡପରେ ପହଞ୍ଚି ଥିଲେ । ଅସ୍ଥାୟୀ ମଣ୍ଡପରେ ଦେବୀ ବିଜେ କରିଛନ୍ତି । ଆଜି ଦିନଟି ଶୁଭ ମଙ୍ଗଳବାର ହେତୁ ମା’ଙ୍କୁ ନିରାକାର ବ୍ରହ୍ମ ରୂପରେ ଦେବୀ ପୂଜା ପାଇଆସୁଛନ୍ତି । ଅସ୍ଥାୟୀ ମଣ୍ଡପରେ ଦେବୀଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ବୁଧବାର ସନ୍ଧ୍ୟାରେ ବର୍ଣ୍ଣାଢ଼୍ୟ ଉତ୍ସବରେ ଦେବୀଙ୍କ ଘଟଯାତ୍ରାର ଶୁଭାରମ୍ଭ ହେବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.