ଅସହାୟ ମହିଳାଙ୍କ ଘର ମରାମତି କଲେ ସ୍ୱେଛାସେବୀ ସଂଗଠନ

ବେଳପଡା, (ଅଜିତ କମାର ସାହୁ) : ଯାହାର କେହି ନାହିଁ ତାର କିଛି ନାହିଁ । ଯାହାର କେହି ନୁହନ୍ତି ସେ କେମିତି ଜୀବନ ବିତାଉଥିବ ତାକୁ ହିଁ ଜଣା । ଦେଖଣାହାରୀ ଆହା କହିଚାଲିଥିବ କିନ୍ତୁ ସାହାଯ୍ୟ କରେନାହିଁ । ଏମିତି ଏକ ଅସହାୟ ମହିଳା ଯାହାର କେହି ନାହାନ୍ତି, ସ୍ୱାମୀ ପରିତ୍ୟକ୍ତ ,ସନ୍ତାନହୀନ, ଜମି ନାହିଁ, ଘରଡିହ ନାହିଁ, ବାସଗୃହ ନାହିଁ, ଆଧାର କାର୍ଡ ନାହିଁ, ଭୋଟ ପରିଚୟ ପତ୍ର ନାହିଁ, ରାସନ କାର୍ଡ଼ ନାହିଁ, ଆବାସ ଯୋଜନାରେ ନା ନାହିଁ, ଅସହାୟ ଭତ୍ତା ନାହିଁ, ଖାଇବାକୁ ନାହିଁ, ତାର ଭଲ ମନ୍ଦ ବୁଝିବା ପାଇଁ ମଧ୍ୟ କେହି ନାହିଁ । କେମିତି ଜୀବନ ବିତାଉଥିବେ ଟିକିଏ ଭାବିଲେ ଦେହ ଶୀତେଇ ଯାଏ । ସତରେ ଭଗବାନଙ୍କ ଅଭିଶାପ ନା କୃତକର୍ମର ଫଳ । କେଉଁ ଜନ୍ମର ଫଳରେ ସେ ଏମିତି ଜୀବନ ବିତାଉଛନ୍ତି ତାକୁ ହିଁ ଜଣା । ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ ସୁଲେକେଲା ଗ୍ରା:ପ: ଅନ୍ତର୍ଗତ ଚନ୍ଦ୍ରପୁର ଗାଁରେ ରୁହନ୍ତି ଅସହାୟ ସ୍ୱାମୀ ପରିତ୍ୟକ୍ତ ମହିଳା ଶ୍ରୀମତୀ ପୁତୁନା । ବିଶି ବୟସ ୫୫ବର୍ଷ ଛୁଇଁଲାଣି । ଆଜିଯାଏଁ କୌଣସି ସରକାରୀ ଯୋଜନା କିମ୍ବା ସରକାରୀ ଦପ୍ତରରେ ନାଁ ମଧ୍ୟ ପଞ୍ଜିକରଣ ହୋଇନାହିଁ । ନା ଅଛି ଆଧାର କାର୍ଡ, ନା ଅଛି ଭୋଟର କାର୍ଡ଼, ନା ଅଛି ରାସନ କାର୍ଡ଼ । ସରକାରୀ ଯୋଜନା ତାର ଦ୍ୱାର ମାଡିନାହିଁ । ସରକାରୀ ଯୋଜନା ତାଙ୍କ ପାଇଁ ସାତ ସପନ । ଚାଷ କାର୍ୟ୍ୟ ସମୟରେ କିଛି ଲୋକଙ୍କ କାମ କରିଥାନ୍ତି । ବାକିତକ ଦିନ ଯିଏ ଯାହା ଦେଲେ ସେଥିରେ ସନ୍ତୁଷ୍ଟ । ସେ ଗାଁରେ କେତେଜଣଙ୍କୁ ଛାଡିଦେଲେ ଅନ୍ୟର କିଛି ଖାଏ ନାହିଁ କି ନିଏ ନାହିଁ । ସେ ତ ପୁରାପୁରି ଅସହାୟ କିନ୍ତୁ ପ୍ରଶାସନ ଅସହାୟ ହୋଇଯିବା ବିଡମ୍ବନାର ବିଷୟ । ସରକାରୀ ସ୍ତରରେ ସ୍ତରକୁ ସ୍ତର କର୍ମଚାରୀ ଥିଲେ ସୁଦ୍ଧା ତା ପାଖକୁ ସରକାରୀ କର୍ମଚାରୀ କିମ୍ବା ରାଜନେତା ଅପହଞ୍ଚ ହେବା ଐତିହାସିକ ଦୁଃଖର ବିଷୟ । ସରକାରୀ ଅବହେଳାକୁ ବୁଦ୍ଧିଜୀବୀ ମହଲରେ ନିଶ୍ଚିତ ଭାବେ ନିନ୍ଦନୀୟର ବିଷୟ । ସରକାର ବାହାଦୂର ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରିଚାଲିଛନ୍ତି, କର୍ମଚାରୀଙ୍କ ଉପରେ କର୍ମଚାରୀ ଅଛନ୍ତି, ବିଭାଗ ଉପରେ ବିଭାଗ ଅଛି କିନ୍ତୁ ଏହି ଅସହାୟ ମହିଳା ପାଖକୁ ସରକାରୀ ଯୋଜନା କଣ ପାଇଁ ଅପହଞ୍ଚ । ଏହି ମହିଳାଙ୍କୁ କେତେକ ସ୍ୱେଛାସେବୀ ସଂଗଠନ ପୂର୍ବରୁ ଅନେକ ଥର ଯଥା ସମ୍ଭବ ରାସନ ସାମଗ୍ରୀ, ବସ୍ତ୍ର, ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ସହ ଆର୍ଥିକ ସହାୟତା ମଧ୍ୟ କରିଛନ୍ତି ଏବଂ ପ୍ରଶାସନର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି କିନ୍ତୁ ଫଳ ଶୁନ୍ୟ । ବର୍ଷା ସମୟରେ ଘର ମାନଙ୍କରେ ପାଣି ଗଲୁଥିବାରୁ ଆଗାମୀ ବର୍ଷା ଋତୁକୁ ଆଖିଆଗରେ ରଖି କୋଶଲ ରାଜ୍ୟ ସଂମନ୍ଵୟ ସମିତି ଓ ସେବା ଚେରିଟେବୁଲ ଟ୍ରଷ୍ଟ ବେଳପଡା ତହସିଲଦାରଙ୍କୁ ପଲିଥିନ ଦେବା ପାଇଁ କହିଥିଲେ । ସେଠାରୁ ସଂଗଠନର ସଦସ୍ୟ ମାନେ ପଲିଥିନ ଆଣି ଆଜି ସେହି ଗାଁର ପୁତୁନା ବିଶି ଓ ଚମରା ନାଏକଙ୍କ ଘରରେ ପଲିଥିନ ଘୋଡାଇବା ସହ ମରାମତି କରିଦେଇଥିଲେ ଏବଂ ପୁତୁନା ବିଶିଙ୍କୁ ସେବା ଚେରିଟେବୁଲ ଟ୍ରଷ୍ଟର ଜଣେ ମହିଳା ସମାଜସେବୀକା ଶୁଖିଲା ଖାଦ୍ୟ ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ । ଆଜିର ଏହି ମରାମତି କାର୍ୟ୍ୟରେ ସେବା ଚେରିଟେବୁଲ ଟ୍ରଷ୍ଟର ଉପସଭାପତି ଗିରିରାଜ ଭୋଇ, କୋଶଲ ରାଜ୍ୟ ସଂମନ୍ଵୟ ସମିତିର ବନମାଳୀ ନାଏକ, ସେବୀକା ରାଜହନ୍ସ, ଅନିତା ଭୋଇ, ସନ୍ୟାସୀ ନାଏକ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟ ସମାପନ କରିଥିଲେ । ଏହି ମହତ କାର୍ୟ୍ୟକୁ ଅଂଚଳରେ ବେଶ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.