ଘର ଖଣ୍ଡେ ପାଇଁ ହନ୍ତସନ୍ତ

ନୂଆପଡ଼ା, (ଅଜିତ ବେହେରା) : ଚଳିତ ବର୍ଷର ଲଘୁଚାପ ବର୍ଷାରେ ଅନେକ ପରିବାର ବେଘର ହୋଇ ଯାଇଛନ୍ତି । ଅନେକ ଗରିବ ପରିବାର ପକ୍କା ଘର ଖଣ୍ଡେ ପାଇ ନପାରି ଭଙ୍ଗା ଦଦରା ମାଟି ଘରେ ରହି ଆସୁଥିବା ବେଳେ ବର୍ଷାରେ ଘର ଭାଙ୍ଗି ଯାଉଛି । ଫଳରେ ସେମାନେ ଦୟନୀୟ ଜୀବନ ଯାପନ କରୁଛନ୍ତି । ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାକୁ ସରକାରଙ୍କ ଘୋଷଣା, ଘୋଷଣାରେ ରହି ଯାଇଛି । ଘର ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ କରୁଥିବା ଏକ ଅଭାବୀ ପରିବାରକୁ ନେଇ ଖଡ଼ିଆଳରୁ ଦେଖିବା । ଘର ଖଣ୍ଡେ ପାଇଁ ହନ୍ତସନ୍ତ ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୁଏର ଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଠିଆ ପଡ଼ା ଗାଁର ଆମ ପାଣି ପଡ଼ା । ପଡ଼ାରେ ରହୁଥିବା ସଞ୍ଜୁ ଖର୍ସେଲଙ୍କ ଦୁଃଖ କହିଲେ ନସରେ । ରାୟପୁର ନିକଟସ୍ଥ ବାଗବେହେରା ସହରରେ ଜନ୍ମ ହୋଇଥିବା ସଞ୍ଜୁ ୮ ବର୍ଷ ତଳେ ଆସି ଏହି ଗାଁରେ ରହୁଛନ୍ତି । ସ୍ତ୍ରୀ ସସ୍ମିତା ସହ ୪ ପୁଅ ଝିଅ ସହ ଏଠାରେ ରହନ୍ତି । ବଡ ଝିଅ ମୀରାକୁ ୬ ବର୍ଷ ହୋଇଥିବା ବେଳେ ପୁଅ ବିରା ୪ ବର୍ଷର, ଝିଅ ଶିବାନୀ ଦେଢ଼ ବର୍ଷର ଓ ସାନ ପୁଅ ଚନ୍ଦନର ବୟସ ମାତ୍ର ୨ ମାସ । ଏକ ଭଙ୍ଗା ଦଦରା ଘରେ ଛଅ ପ୍ରାଣୀ କୁଟୁମ୍ବ ରହି ଆସୁଥିବା ବେଳେ ଗତ ସପ୍ତାହରେ ବର୍ଷାରେ ଘର ଭାଙ୍ଗି ଯାଇଥିଲା । ରାତିରେ ଶୋଇଥିବା ବେଳେ ଘର ଭାଙ୍ଗି ପଡ଼ିଥିଲା । ପାଖ ପଡିଶା ଆସି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଅଳ୍ପକେ ବଞ୍ଚି ଯାଇଥିଲେ କୁନି କୁନି ପୁଅ ଝିଅ । ସଞ୍ଜୁ ଭଙ୍ଗା ଘରର ଅଧାକୁ ପଲିଥିନ ଢାଙ୍କି ପରିବାର ସହ ରହୁଛନ୍ତି । ତାଙ୍କୁ ଏବେ ଘର ଖଣ୍ଡେ ଆବଶ୍ୟକୀୟ ହୋଇ ପଡ଼ିଛି । ୮ ବର୍ଷ ହେଲା ସଞ୍ଜୁ ସପରିବାର ଏହି ଗାଁରେ ରହି ଆସୁଛନ୍ତି । କିନ୍ତୁ ଅଦ୍ୟାବଧି ତାଙ୍କୁ ରାସନ୍ କାର୍ଡ ଖଣ୍ଡେ ମିଳି ପାରି ନାହିଁ । ତାଙ୍କର ବିଲ ବାଡ଼ି ମଧ୍ୟ ନାହିଁ । ପର ଘରେ ମୂଲ ଖଟିଲେ ପେଟ ପାଇଁ ଦି ଓଲି ଖାଦ୍ୟ ବ୍ୟବସ୍ଥା ହୋଇ ପାରେ । ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ଅନେକ ଥର ପ୍ରଶାସନର ଦ୍ୱାରସ୍ଥ ହେଲେଣି । କିନ୍ତୁ ପ୍ରତିଶ୍ରୁତି ଛଡ଼ା କିଛି ମିଳି ପାରୁନାହିଁ । ଏକ ଅଧା ଭଙ୍ଗା ଘରେ କେମିତି ରହିବେ ଏଇ ପରିବାର । ନିଜ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ଯେତେ ଚିନ୍ତା ନାହିଁ, ଛୋଟ ଛୋଟ ପିଲା ଛୁଆଙ୍କ ପାଇଁ ଅଧିକ ଚିନ୍ତା । ଭଙ୍ଗା ଘରେ ରହି କେତେଦିନ ଆଉ ସ୍ୱପ୍ନ ଦେଖିବେ । ଏ ନେଇ ବୋଡ଼େନ ବିଡ଼ିଓ ପ୍ରିୟରଞ୍ଜନ କୁମାରଙ୍କୁ ପଚାରିବାରୁ ସରକାରୀ ନିୟମ ମୁତାବକ ତାଙ୍କୁ କ୍ଷତିପୂରଣ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.