jayashree

ରୋୟଲ ଏକ୍ସୋଟିକା ବାସିନ୍ଦା ସଂଘ ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଲର୍କିପାଲି ରୋୟଲ ଏକ୍ସୋଟିକା ପରିସରରେ ଗୃହ ମାଲିକମାନଙ୍କୁ ନେଇ ଶ୍ରୀମନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରୁ ପୁଲିନ ମିଶ୍ର ଉପସ୍ଥିତ ସମସ୍ତ ଗୃହ ମାଲିକମାନଙ୍କୁ ସଭାକୁ ଆମନ୍ତ୍ରଣ କରିଥିଲେ । ବୈଠକର ସଭାପତି ଶ୍ରୀ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ । ସର୍ବ ପ୍ରଥମେ ସ୍ଥାନୀୟ ସର୍ବ ଭାରତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ପରଲୋକ ହୋଇଥିବା ମହାନ ଆତ୍ମାମାନଙ୍କ ସଦ୍‌ଗତି କାମନା କରି ଏକ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ଅନୁଯାୟୀ ଶ୍ରୀ ମିଶ୍ର ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରି ଆଗାମୀ ଦିନରେ ଯଦି ସବୁ ଗୃହ ମାଲିକମାନେ ଏକଜୁଟ ନ ହେବେ ତେବେ ଯାହାବି ଆନୁସାଙ୍ଗିକ ବ୍ୟବସ୍ଥା ଦେବା ପାଇଁ ଗୃହ ବିକ୍ରେତା ପ୍ରତିଶୃତି ଦେଇଥିଲେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇନାହିଁ ତା’ର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏବଂ ସଂଘର ମିଳିତ ପ୍ରଚେଷ୍ଟା ଆବଶ୍ୟକ ବୋଲି କହିଥିଲେ । ପୂର୍ବରୁ ସମସ୍ତ ସଭ୍ୟମାନଙ୍କୁ ଦିଆଯାଇଥିବା କାର୍ଯ୍ୟ ସାରଣୀ ଉପରେ ମତାମତ ରଖିବାକୁ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ । ସମସ୍ତ ସଭ୍ୟଙ୍କ ମତାମତକୁ ନେଇ କାର୍ଯ୍ୟ ସାରଣୀରେ କିଛି ପରିବର୍ତ୍ତନ କରିବା ପରେ ଏହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ଗୃହୀତ କାର୍ଯ୍ୟକାରିଣୀ ଅନୁଯାୟୀ ସଂଘର କର୍ମକର୍ତ୍ତା ଓ କାର୍ଯ୍ୟକାରିଣୀ ସଭ୍ୟ ନିର୍ବାଚିତ ହୋଇଥିଲେ । ସଂଘ ସଭାପତି ଭାବରେ ରାମଚନ୍ଦ୍ର ମେହେର, ଉପସଭାପତି ଶ୍ରୀମନ୍ତ ପଣ୍ଡା, ସଂପାଦକ ପୁଲିନ ମିଶ୍ର, ଯୁଗ୍ମ ସଂପାଦକ ପବନ ବେହେରା, କେ. ରମନ୍ନା, କୋଷାଧ୍ୟକ୍ଷ ଦେବାଶିଷ ମିଶ୍ର ଓ କାର୍ଯ୍ୟକାରିଣୀ ସଭ୍ୟ ଭାବେ ରାଧା ଗୋବିନ୍ଦ ଷଡଙ୍ଗୀ, ସିର୍ଦ୍ଦାର୍ଥ ପଣ୍ଡା, ରାଜ କିଶୋର ବେହେରା, ଦେବାନନ୍ଦ ମେହେର, ବିକାଶ ପାଢି, ଚିନ୍ମୟ ମିଶ୍ର, ସମିର ପଣ୍ଡା ନିର୍ବାଚିତ ହୋଇଥିଲେ । ସରକାରଙ୍କ ଖୋର୍ଦ୍ଧା- ବଲାଙ୍ଗିର ରେଳପଥରେ ଶିଥିଳତା, ବଲାଙ୍ଗିର ସହରର କ୍ରମ ବର୍ଦ୍ଦିଷ୍ଣୁ ଅପରାଧୀକ କାର୍ଯ୍ୟକଳାପ ଓ ଭୀମଭୋଇ ମେଡିକାଲ କଲେଜରେ ଆନୁସଙ୍ଗିକ ଭିତ୍ତିଭୂମିର ଅଭାବ ନେଇ ସମସ୍ତ ସଭ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ ଓ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଏହା ଉପରେ ଅତିଶୀଘ୍ର ଧ୍ୟାନ ଦେବାକୁ ଦାବୀ କରିଥିଲେ । ଶେଷରେ ଶ୍ରୀ ପଣ୍ଡା ଯୋଗ ଦେଇଥିବା ସମସ୍ତ ମାଲିକମାନଙ୍କୁ ଧନ୍ୟବାଦ ଜ୍ଞାପନ ଦେଇଥିଲେ ଓ ଯେଉଁମାନେ ଯୋଗ ଦେଇ ନାହାନ୍ତି ଆଗାମୀ ଦିନରେ ଯୋଗଦାନ କରି ତାଙ୍କର ସୁଚିନ୍ତତ ମତାମତ ଉପସ୍ଥାପନ କରି ସଂଘକୁ ଏକ ଶକ୍ତିଶାଳୀ ସଂଘରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.