ଶିଶୁଙ୍କ ଯତ୍ନ, ସୁରକ୍ଷା ଓ ଅଧିକାର ପାଇଁ ‘ଚାଇଲଡ୍‌ ଫ୍ରେଣ୍ଡଲି ବିଧାୟକ ମଞ୍ଚ’ ଗଠନ ନିଷ୍ପତ୍ତି

  • ବିଧାୟକ ଦାଶରଥୀ ଗମାଙ୍ଗୋ, ନାରାୟଣ ରାଓ, ଡ଼ା. ଭୁଧାନ ମୁର୍ମୁ ଓ ସୂର୍ଯ୍ୟମଣି ବୈଦ୍ୟଙ୍କ ଉଦବୋଧନ
  • ପ୍ରେମ୍‌ ଓ ଏଡୁକୋର ମିଳିତ ଉଦ୍ୟମରେ ଓଡ଼ିଶା ଆଦିବାସୀ ମଞ୍ଚର ୩୦ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଶିଶୁମାନଙ୍କର ଯତ୍ନ ନେବା, ସେମାନଙ୍କୁ ସୁରକ୍ଷା ଏବଂ ଅଧିକାର ପ୍ରଦାନ କରିବା ସହିତ ବିକାଶ କ୍ଷେତ୍ରରେ ବିଧାୟକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ‘ଚାଇଲଡ୍‌ ଫ୍ରେଣ୍ଡଲି ବିଧାୟକ ମଞ୍ଚ’ ଗଠନ କରି ଏକ ନୂତନ ଆଇନ ପ୍ରଣୟନ କରିବା ଉପରେ ସ୍ଥାନୀୟ ମାଣ୍ଡିଆପଲ୍ଲୀ ସ୍ଥିତ ପ୍ରେମ୍‌ କାର୍ଯ୍ୟାଳୟ ଠାରେ ଓଡ଼ିଶା ଆଦିବାସୀ ମଞ୍ଚର ୩୦ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରେମ୍‌ ଓ ଏଡୁକୋର ମିଳିତ ଉଦ୍ୟମରେ ଏକ ରାଜ୍ୟସ୍ତରୀୟ ସମାବେଶ ହୋଇଥିଲା । ଓଡ଼ିଶା ଆଦିବାସୀ ମଞ୍ଚର ରାଜ୍ୟ ଆବାହକ ବିଦୁଲତା ହୁଇକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଓଡ଼ିଶା ବିଧାନସଭାର ସାରସକଣା ବିଧାୟକ ଡ଼ା. ଭୁଦାନ ମୁର୍ମୁ, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ, ପାରଳାଖେମୁଣ୍ଡି ବିଧାୟକ ଏନ. ନାରାୟଣ ରାଓ, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ପ୍ରମୁଖ ଯୋଗଦେଇ ଶିଶୁମାନଙ୍କ ଅଧିକାର ଉପରେ ବ୍ୟାପକ ବିଚାର ବିମର୍ଶ କରିଥିଲେ । ବିଧାୟକମାନେ ବିଧାନସଭାରେ ପାରିତ ହୋଇଥିବା ଆଇନକୁ କାର୍ଯ୍ୟକାରୀ କରିବା ପ୍ରଶାସନିକ ଅଧିକାରୀମାନଙ୍କ ଦାୟିତ୍ୱ ଥିଲେ ମଧ୍ୟ ସେମାନେ ଏ ଦିଗରେ ଶିଥିଳତା ଅବଲମ୍ବନ କରୁଥିବାରୁ ଉଦବେଗ ପ୍ରକାଶ କରିଥିଲେ ଏବଂ ଶିଶୁମାନଙ୍କ ସୁରକ୍ଷା ଓ ଯତ୍ନ ନେବା ପାଇଁ ଏକ ସମ୍ମିଳିତ ଶପଥପାଠ କାର୍ଯ୍ୟକ୍ରମ ହୋଇଥିଲା । ଏ ସମ୍ପର୍କରେ ସମସ୍ତ ବିଧାୟକଙ୍କୁ ଅବଗତ କରାଯିବା ସହ ଆଗାମୀ ବିଧାନସଭାରେ ଏ ସମ୍ପର୍କରେ ପ୍ରସ୍ତାବ ଅଣାଯିବ ବୋଲି ମତ ପ୍ରକାଶ ପାଇଥିଲା । ମୁଖ୍ୟତଃ ବିଧାୟକମାନେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷକ ଅଭାବ ଓ ସ୍କୁଲଗୁଡ଼ିକ ବନ୍ଦ କରି ଦିଆଯିବା ଫଳରେ ପିଲାଙ୍କ ଭବିଷ୍ୟତ ଅନ୍ଧକାର ହୋଇଛି ଏବଂ ଅନ୍‌ଲାଇନ କ୍ଲାସରୁ ବଂଚିତ ୪୫ ହଜାର ଛାତ୍ରଛାତ୍ରୀ ଗତ ମାଟ୍ରିକ ପରୀକ୍ଷା ଦେଇପାରିନଥିଲେ । ୭୫ ବର୍ଷର ସ୍ୱାଧୀନତା ପରେ ମଧ୍ୟ ଆଦିବାସୀ ଅଞ୍ଚଳର ଜନସାଧାରଣ ମୌଳିକ ସୁବିଧାରୁ ବଂଚିତ ହୋଇଛନ୍ତି ବୋଲି କହିଥିଲେ ।

ପ୍ରେମର ସଭାପତି ଡ଼. ଜାକୋବ ଥୁଣ୍ଡ୍ରିଲ ସ୍ୱାଗତ ଭାଷଣ ଦେଇ ପ୍ରେମ ଅନୁଷ୍ଠାନ ଗତ ଚାରି ଦଶନ୍ଧି ଧରି ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାର୍ଯ୍ୟ କରି ଆସୁଛି । ୩୦ ବର୍ଷ ତଳେ ସ୍ୱର୍ଗତ ବିଡି ଶର୍ମାଙ୍କ ଉଦ୍ୟମରେ ଆଦିବାସୀଙ୍କ ମୌଳିକ ଅଧିକାର ବିଶେଷ କରି ପେଶା ଆଇନ କାର୍ଯ୍ୟକାରୀ କରିବା, ଜଙ୍ଗଲ ଜମି ଅଧିକାର, ବହୁ ଭାଷା ଶିକ୍ଷାକୁ ପ୍ରଚଳନ କରିବା ପାଇଁ ଆଦିବାସୀ ମଞ୍ଚ ଗଠନ ହୋଇଥିଲା । ଏ ସମ୍ପର୍କରେ ଲୋକସଭା ଓ ବିଧାନସଭାରେ ଆଇନ ଥିଲେ ମଧ୍ୟ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇପାରି ନଥିବାରୁ ଉଦବେଗ ପ୍ରକାଶ କରିଥିଲେ ।

ଏଡୁକୋର କଣ୍ଟ୍ରି ଡାଇରେକ୍ଟର ଗୁରୁ ପ୍ରସାଦ ରାଓ ତାଙ୍କ ଭାଷଣରେ ଏହି ସଂସ୍ଥା ୧୪ଟି ଦେଶରେ କାର୍ଯ୍ୟ କରୁଛି । ସମସ୍ତ ଶିଶୁ ଯେପରି ସେମାନଙ୍କ ଅଧିକାରକୁ ସମ୍ପୂର୍ଣ୍ଣ ଭାବେ ଉପଭୋଗ କରିପାରିବେ ଏବଂ ସମ୍ମାନର ସହିତ ଜୀବନ ଯାପନ କରିପାରିବେ ସେ ଦିଗରେ ମଞ୍ଚ ଲଗାତର ଉଦ୍ୟମ ଜାରି ରଖିଛି । ପ୍ରେମ ଭଳି ସଂଗଠନମାନେ ଯେହେତୁ ବହୁ ପୂର୍ବରୁ ଶିଶୁ ସୁରକ୍ଷା, ଶିଶୁ ଅଧିକାର ଉପରେ କାର୍ଯ୍ୟ କରୁଛନ୍ତି ସେଥିପାଇଁ ସେ ପ୍ରେମ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ହଳଧର କାର୍ଯୀ, ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, ଓଡ଼ିଶା କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ବିଜେପି ଜିଲ୍ଲା ସଭାପତି ବିଭୁତି ଜେନା, ଏଡ଼ୁକୋର ପ୍ରୋଜେକ୍ଟ ଡାଇରେକ୍ଟର ସୁକାନ୍ତ କୁମାର ବେହେରା, ବ୍ଲକ ଅଧ୍ୟକ୍ଷ ରଞ୍ଜିତ ଶବର, ପ୍ରେମର ସମ୍ପାଦକ ଚାକୋ ପୁରବାନାନି, ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ, ଓଡ଼ିଶା ଆଦିବାସୀ ମଞ୍ଚର ଆବାହକ ଇଡୋ ମଣ୍ଡଳ, ପ୍ରେମର ରତନ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୁଧିର କାନ୍ତ ଦିଗାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ବିଶିଷ୍ଟ ବ୍ୟକ୍ତି ୨୧ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.