ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକ୍ଟର -୪ ସ୍ଥିତ ରାଉରକେଲା କଲେଜକୁ ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡ଼ା-ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଗସ୍ତ ଛାତ୍ରଛାତ୍ରୀମାନଙ୍କ ମହଲରେ ଅଦ୍ଭୁତ ପୂର୍ବ ଉତ୍ସାହ ଭରିଦେଇଥିବା ବେଳେ ତାଙ୍କର ପ୍ରଭାବଶାଳୀ ବାର୍ତ୍ତା ଏବଂ ଅନ୍ତରଙ୍ଗ ଆଳାପ ଯୁବ ପ୍ରାଣକୁ ଖୁବ୍ ଆକୃଷ୍ଟ କରିପାରିଛି ବୋଲି ଛାତ୍ରଛାତ୍ରୀମାନେ ମତବ୍ୟକ୍ତ କରିଥିଲେ । ପାରମ୍ପରିକ ନୃତ୍ୟ-ଗୀତ-ବାଦ୍ୟର ତାଳେତାଳେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଏବଂ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କୁ ଉତ୍ସାହିତ ଛାତ୍ରଛାତ୍ରୀ ଏବଂ କଲେଜ ଅଧ୍ୟକ୍ଷ ଡଃ. ରବୀନ୍ଦ୍ର କୁମାର ଜେନା ସ୍ୱାଗତ ସହ ପାଛୋଟି ଆଣିଥିଲେ । ଏହାପରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ସହ ବୃକ୍ଷରୋପଣ କରି ସବୁଜ କ୍ୟାମ୍ପସ୍ ସବୁଜ ସହରର ବାର୍ତ୍ତା ରଖିଥିଲେ ଉଭୟ ଅତିଥି । ଯୁବ ଚେତନାକୁ ପ୍ରଚୋଦିତ କରିବା ପାଇଁ ଆଳାପ ଆଲୋଚନା କାର୍ଯ୍ୟକ୍ରମରେ ମାନନୀୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂରଜ ଚଳିତ ଶିକ୍ଷାବର୍ଷ ଠାରୁ ଜାତୀୟ ଶିକ୍ଷା ନୀତି: ୨୦୨୦ର କାର୍ଯ୍ୟକାରୀ ହେବାର ସୂଚନା ଦେବା ସହ ଏହି ନୂତନ ଶିକ୍ଷା ନୀତି କିପରି ବିଶ୍ୱସ୍ତରୀୟ ଏବଂ ଭାରତୀୟତାର ବିଶ୍ୱସ୍ତ ପ୍ରତିଲିପି, ସ୍ୱାବଲମ୍ବୀ, ସ୍ୱାଭିମାନୀ ତଥା ଆତ୍ମନିର୍ଭରଶୀଳତା ପ୍ରତି ଅଙ୍ଗୀକାରବଦ୍ଧ ତାହା ଜଣାଇଥିଲେ । ଛାତ୍ରଛାତ୍ରୀମାନଙ୍କ ଠାରୁ କଲେଜର ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ଖେଳ ପଡିଆର ଉନ୍ନତିକରଣ, ନୂତନ ବାଣିଜ୍ୟ ବ୍ଲକ୍, ପ୍ରେକ୍ଷାଳୟର ସୌନ୍ଦର୍ଯ୍ୟକରଣ ପ୍ରଭୃତି ସଂକ୍ରାନ୍ତରେ ଏକ ଅନୁରୋଧ ପତ୍ର କଲେଜ ଅଧ୍ୟକ୍ଷ ଡଃ. ଜେନାଙ୍କ ଠାରୁ ଗ୍ରହଣ କରିଥିଲେ ଏବଂ ଏହାର ସହଜ ସମାଧାନ ପାଇଁ ଆନ୍ତରିକ ପ୍ରତିଶ୍ରୁତି ମଧ୍ୟ ପ୍ରଦାନ କରିଥିଲେ । ବିଧାୟକ ଶ୍ରୀଯୁକ୍ତ ତନ୍ତୀ କଲେଜ ପ୍ରତି ଏକ ସହଜାତ ଆକର୍ଷଣ ଥିବା ସ୍ୱୀକାର କରି ସ୍ଥାନୀୟ ସ୍ତରରେ ସମାଧାନ ହୋଇ ପାରୁଥିବା ଦିଗ ଉପରେ ନଜର ରଖିଛନ୍ତି ଏବଂ ତ୍ୱରିତ ସମାଧାନ ପାଇଁ ନିଷ୍ଠାପର ଇଚ୍ଛାକୁ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ସଂଯୋଜନା କରିଥିଲାବେଳେ ବରିଷ୍ଠ ପ୍ରାଧ୍ୟାପିକା ତପସ୍ଵିନୀ ମିଶ୍ର ଅନ୍ତିମ ସ୍ପର୍ଶ ପ୍ରଦାନ କରିଥିଲେ । ଏହି ଅବସରରେ କଲେଜର ପ୍ରାଧ୍ୟାପିକା ଭାରତୀ ବରୱା, ବନ୍ଦନା ସୋରେଙ୍ଗ, ରଶ୍ମିପ୍ରଭା ମଥାନ, ପ୍ରାଧ୍ୟାପକ ମନୋଜ କୁମାର ଦଳେଇ, ରଶ୍ମି ରଞ୍ଜନ ରାଉତ, ଅନୁପ ଏକ୍କା, ତରଣି ନାୟକ, ରଂଜିତ ପ୍ରଧାନ, ଅଜିତ ବେକ, ବୈଜୟନ୍ତୀ ବାରିକ, ଦୀପାଳି ପ୍ରଧାନ, ଅନାମିକା କୁଲ୍ଲୁ ବ୍ୟତୀତ ଅପର୍ଣ୍ଣା ପାହାରୀ, ସୋନାଲି ମହାନନ୍ଦ, ଶ୍ରିୟା ବାଗ, ଅରୁଣ ମହାନ୍ତି, ବିଶାଳ ରାମ, ପ୍ରଯୁକ୍ତା ଭବାନୀ ନାୟକ, ଅନୁଶ୍ରୀ ରାଉତ, ଲକ୍ଷ୍ମୀ ପ୍ରିୟା ସାହୁ, କରିସ୍ମା ନାୟକ, ଲିପ୍ସା ବଳିୟାରସିଂହ, ଦେବାଶିଷ ହୋତା, ପୂଜା କୁସୁମ, ବିକି ନାଗ, ଜ୍ୟୋତ୍ସ୍ନା ଏକ୍କା, ଆନିମା ମୁଣ୍ଡାରୀ, ସଂଧ୍ୟା ରାଣୀ ସାହୁ ପ୍ରମୁଖ ଛାତ୍ରଛାତ୍ରୀ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।
Prev Post