ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୯ ତାରିଖରେ ତାଳଚେର ଗସ୍ତରେ ଆସିବେ । ଏଥିପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ଜିଲ୍ଲାର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଆଜି ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଆଲୋଚନା କରିଛନ୍ତି ।