ଆଜି ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ

ବାଲେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବାଲେଶ୍ୱର ଗସ୍ତରେ ଆସୁଛନ୍ତି । ଏହି ଅବସରରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପ ଶୁଭାରମ୍ଭ ହେବ । ଶୋଭାରାମପୁରଠାରେ ଏକ ରେଲୱେ ଓଭରବ୍ରିଜ୍‌ (ଏଲ୍‌ସି-୭୯)ର ଉଦ୍‌ଘାଟନ ହେବା ସହିତ ୬୯ ଅନ୍ୟ ପ୍ରକଳ୍ପ ମଧ୍ୟ ଉଦ୍‌ଘାଟନ ହେବ, ଯାହାର ବ୍ୟୟ ଅଟକଳ ୩୭୫କୋଟି ଟଙ୍କା । ସେହିପରି ମୁଖ୍ୟମନ୍ତ୍ରୀ ୧୫୦୦କୋଟି ଟଙ୍କା ବ୍ୟୟରେ ୧୨୨ଟି ପ୍ରକଳ୍ପ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ପ୍ରାୟ ୬୦ ହଜାର ସଦସ୍ୟା ବିଶିଷ୍ଟ ୫୬୦୦ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ୨୨୦କୋଟି ଟଙ୍କାର ମିଶନ ଶକ୍ତି ଋଣ ସହାୟତା ରାଶି ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଗୁରୁବାର ପୂର୍ବାହ୍ନ ୧୧ଟା ୧୫ରେ ହେଲିକପ୍ଟରରେ ପୋଲିସ ରିଜର୍ଭ ପଡ଼ିଆରେ ମୁଖ୍ୟମନ୍ତ୍ରୀ ଓହ୍ଲାଇ ଉପରୋକ୍ତ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇ ଜିଲ୍ଲାବାସୀଙ୍କୁ ଉଦ୍‌ବୋଧନ ଦେବେ । ପୋଲିସ ପକ୍ଷରୁ ସୁରକ୍ଷା ଓ ଟ୍ରାଫିକ୍‌ ବ୍ୟବସ୍ଥା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ତତ୍ତ୍ୱାବଧାନରେ ୩ ଜଣ ଅତିରିକ୍ତ ଏସ୍‌ପି, ୧୨ ଜଣ ଡିଏସ୍‌ପି, ୩୪ ଜଣ ଇନ୍ସପେକ୍ଟର, ୯୫ ଜଣ ସବ୍‌-ଇନ୍ସପେକ୍ଟର/ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର, ୩୩ ପ୍ଲାଟୁନ ଫୋର୍ସଙ୍କ ସମେତ ୧୦୩ ଜଣ ରିଜର୍ଭ ପୋଲିସ, ୭୮ ହୋମ୍‌ଗାର୍ଡ଼ଙ୍କ ଦ୍ୱାରା ହେଲିପ୍ୟାଡ୍‌, କାରକେଡ୍‌, ସଭାସ୍ଥଳୀ, ଶୋଭାରାମପୁର ନୂତନ ବ୍ରିଜ୍‌ ଉଦ୍‌ଘାଟନୀ ସ୍ଥଳୀ, ଟ୍ରାଫିକ୍‌ ନିୟନ୍ତ୍ରଣ ଏବଂ ପାର୍କିଂ ପାଇଁ ନିୟୋଜିତ ହୋଇଛନ୍ତି । ଟ୍ରାଫିକ୍‌ ନିୟନ୍ତ୍ରଣ ଦୃଷ୍ଟିରୁ ଯାନବାହନକୁ ଆଇଟିଆଇ ପଡ଼ିଆ, ମିଶନ ପଡ଼ିଆ, ସରକାରୀ ଆଇଟିଆଇ ପରିସର, ଆର୍‌ଟିଓ ଅଫିସ୍‌ ପରିସର, ଜିଲ୍ଲା ସ୍କୁଲ ପଡ଼ିଆ, ଫକୀରମୋହନ କଲେଜ ପଡ଼ିଆରେ ରଖାଯିବାର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.