ନୂଆପଡ଼ା, (କେପିଏନ୍ଏସ୍) : ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ନିଜ ପତ୍ନୀଙ୍କ ସହ ଓଡ଼ିଶାର ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି କୋମନା ସ୍ଥିତ ବୈଷ୍ଣଦେବୀ ମନ୍ଦିରରେ ବାସନ୍ତୀ ଦୁର୍ଗା ପୂଜା କରିଛନ୍ତି । ଆଜି ସ୍ୱତନ୍ତ୍ର ହେଲିକପ୍ଟରରେ ରାୟପୁରରୁ ବାହାରି କୋମନା ଜିତାମିତ୍ର ହାଇସ୍କୁଲ ପଡ଼ିଆରେ ଅବତରଣ କରିଥିବା ବେଳେ ସଡ଼କ ପଥରେ ବୈଷ୍ଣଦେବୀ ମନ୍ଦିର ପହଞ୍ଚିଥିଲେ । ସେଠାରେ ସେ ପାରମ୍ପରିକ ପୂଜା ଅର୍ଚ୍ଚନା କରିବା ବେଳେ ତାଙ୍କ ପତ୍ନୀ କୌଶଲ୍ୟା ଦେବୀ ସାଏ, ବିଧାୟକ ପୁରନ୍ଦର ମିଶ୍ର, କଳାହାଣ୍ଡିର ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶାର କୋମନା ଠାରେ ଥିବା ବୈଷ୍ଣଦେବୀ ମନ୍ଦିରରେ ପ୍ରତ୍ୟେକ ବର୍ଷ ଆସି ଦର୍ଶନ କରି ପୂଜା କରିବା କାର୍ଯ୍ୟକ୍ରମ ରହିଆସିଛି । ଚଳିତ ବର୍ଷ ମଧ୍ୟ ସେ ଚୈତ୍ର ବାସନ୍ତୀ ଦୁର୍ଗା ପୂଜା କରିଥିଲେ । ଦୃଢ଼ ଇଚ୍ଛାଶକ୍ତି ବଳରେ ଶକ୍ତି ଉପାସନା ଭାରତୀୟ ସଂସ୍କୃତିର ଏକ ଅଂଶ ବିଶେଷ ବୋଲି ସେ ଆହ୍ୱାନ କରିଥିଲେ ।