ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସହରର ବିଭିନ୍ନ ସ୍ଥାନକୁ ତୁଫାନି ଗସ୍ତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ଠାରୁ ସୁବର୍ଣ୍ଣପୁର ସହରର ବସଷ୍ଟାଣ୍ଡ, ପଞ୍ଚରଥ ମନ୍ଦିର ଠାରୁ ମଝିପଡ଼ା ମେଡିକାଲ୍ ଛକ, ସଂସ୍କୃତ ସ୍କୁଲ୍, ଟ୍ରଷ୍ଟଫଣ୍ଡ ଅଫିସ୍, ହାତୀଶାଳ, ରାମଜୀ ନଗର ଠାରୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳକୁ ଅଚାନକ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଡ. ନୃପରାଜ ସାହୁ । ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ସେଠାରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଓ ବୁଝାମଣା କରିଥିବା ବେଳେ ଜାଗା ଖାଲି କରିବାକୁ ନିର୍ଦ୍ଧାରିତ ସମୟ ୩ ଦିନ ବଦଳରେ ଦୋକାନ ମାଲିକଙ୍କ ଅନୁରୋଧ କ୍ରମେ ୭ ଦିନ ଯାଏଁ ବଢାଇ ଥିବା କହିଥିଲେ । ପରେ ପରେ ବିଜୁ ପଟ୍ଟନାୟକ ଛକ ଠାରୁ ମଝିପଡ଼ା ହନୁମାନ ମନ୍ଦିର ଛକ ଯାଏଁ ଟ୍ରଷ୍ଟ ଫଣ୍ଡ ଅଫିସ୍ ପର୍ଯ୍ୟନ୍ତ ବୁଲି ଅନେକ ଜବର ଜାଗାକୁ ତଦାରଖ କରିଛନ୍ତି । ପରେ ଟ୍ରଷ୍ଟ ଫଣ୍ଡ ଅଫିସ୍ କାର୍ଯ୍ୟାଳୟର ଇତିହାସ କଥା ବୁଝି ଆଶ୍ଚର୍ଯ୍ୟ ହେବା ସହ ଜିଲ୍ଲାରେ ଏକ ମାତ୍ର ସଂସ୍କୃତ ବିଦ୍ୟାଳୟ ବନ୍ଦ ପଡି ରହିଥିବା ଓ ଏହି ସ୍କୁଲର ଭିତ୍ତିଭୂମି ପରିଦର୍ଶନ କରି ଶିକ୍ଷକ ଥିବାବେଳେ ଛାତ୍ରଛାତ୍ରୀ ନାହାନ୍ତି । ସହରରେ ପୌର ପରିଷଦର ଏକ ମାତ୍ର ଶୀତ କାଳୀନ ରାତ୍ରୀ ଆଶ୍ରୟ ସ୍ଥଳ ବା ବସ୍ଥିହରା ଲୋକଙ୍କ ଆଶ୍ରୟସ୍ଥଳକୁ ପରିଦର୍ଶନ କରି କୌଣସି ବ୍ୟବହାରରେ ନ ଆସି ଏହି ଜାଗା ଖାଲି ପଡ଼ିଥିବା ଦେଖି କ୍ଷୋଭ ପ୍ରକାଶ କରିଥିଲେ ଏବଂ ଦୀର୍ଘ ବର୍ଷରୁ ଏହି ସମସ୍ତ ଜାଗା ଜିଲ୍ଲା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବା ଓ କୌଣସି ପ୍ରଶାସକ ବୁଦ୍ଧିଜୀବୀ ସଚେତନ ନାଗରିକଙ୍କ କାହାରି ବି ନଜରରେ ନ ଆସିବା ବିଷୟ ଦୁର୍ଭାଗ୍ୟ ଜନକ ବୋଲି କହିଥିଲେ । ପରେ ପରେ ହାତୀଶାଳ ଅସ୍ଥାୟୀ ବସଷ୍ଟାଣ୍ଡକୁ ପରିଦର୍ଶନରେ ଯାଇ ସେଠାରେ ଥିବା ଜବରଦଖଲ ଜାଗା ଚିହ୍ନଟ କରି ଶୀଘ୍ର ଖାଲି କରିବାକୁ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ସବକଲେକ୍ଟର ଡ. ସୌମ୍ୟରୂପା ରଥ, ତହସିଲଦାର ଜି. ରଶ୍ମିରେଖା, ଡେପୁଟି କଲେକ୍ଟର, ଆରଆଇ, ଇଓ ମ୍ୟୁନିସିପାଲିଟି ଉପସ୍ଥିତ ଥିଲେ । ଡିସ୍ ମିସ ହେବା ପରେ ଟ୍ରଷ୍ଟ ଫଣ୍ଡ ଅଫିସରେ ଆଜି ସୁଦ୍ଧା କର୍ମଚାରୀ ମାନେ ସରକାରୀ କ୍ୱାଟର ମାଡି ବସି ରାଜ ଭୋଗ କରୁଥିବା ଦେଖି କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରେ ପୁଣି ରାମଜୀ ନଗର ଅଞ୍ଚଳ ବୁଲି ଅଞ୍ଚଳର ରାସ୍ତା ଦୂରାବସ୍ଥା ଦେଖି ବିରକ୍ତି ପ୍ରକାଶ କରିଥିଲେ ଓ ତୁରନ୍ତ ରାସ୍ତା ନିର୍ମାଣ ଓ ନୂତନ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପୌର ପରିଷଦ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସମେତ ବୁଦ୍ଧିଜୀବୀ ଗୋବିନ୍ଦ ମହାରଣା ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ ଏହି ଦୁଇ ଦିନିଆ ତୁଫାନୀ ଗସ୍ତରେ ରାମଜୀ ନଗର ବାସୀ ଓ ଅସ୍ଥାୟୀ ବସଷ୍ଟାଣ୍ଡର ବ୍ୟବସାୟୀ ଓ ବସ ମାଲିକ ସଂଘ ଖୁସି ଥିବାବେଳେ ସହରର କିଛି ଅଞ୍ଚଳର ଜବରଦଖଲ କାରୀଙ୍କ ମନରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି ।

Leave A Reply

Your email address will not be published.