- ଦକ୍ଷିଣାଞ୍ଚଳ ରାଜସ୍ୱ ଡିଭିଜନର ନିର୍ବାଚନ ସମ୍ବନ୍ଧୀୟ ଜରୁରୀ ବୈଠକ ଅନୁଷ୍ଠିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଗାମୀ ୨୦୨୭ ପଞ୍ଚାୟତ ତଥା ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ, ନିରପକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଛତ୍ରପୁର ସ୍ଥିତ ଋଷିକୂଲ୍ୟା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧୀନରେ ଆସୁଥିବା ଜିଲ୍ଲାକୁ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଏକ ବର୍ଷ ମଧ୍ୟରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ଯାଇ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ସର୍ଭେ, ବାଲଟ ବକ୍ସ, ଇଭିଏମର ସ୍ଥିତି ଓ ଅବସ୍ଥିତି ଯାଞ୍ଚ, ପଞ୍ଚାୟତ ନିର୍ବାଚନ ପାଇଁ ବୁଥ୍ ପୁନଃଗଠନ ତା ସହ ମତଦାତାଙ୍କ ନିକଟତମ ସ୍ଥାନରେ ବୁଥ୍ ବ୍ୟବସ୍ଥା କରିବା ଆଦି ବିଭିନ୍ନ ବିଷୟରେ ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ସବିଶେଷ ସୂଚନା ଏହି ସମ୍ମିଳନୀରେ ଉପସ୍ଥାପନା କରିଥିଲେ । ଇଲେକ୍ଟରାଲ ରୋଲ୍ ସଂଶୋଧନ, ନିର୍ବାଚନରେ ବ୍ୟବହୃତ ବିଭିନ୍ନ ଫର୍ମ ଓ ଏହାର ବ୍ୟବହାର ସଂପର୍କରେ ସେ ସୂଚନା ଦେଇଥିଲେ । ସାମୁହିକ ଆଭିମୁଖ୍ୟ ନେଇ ସମସ୍ତ କାମ କରିବା ସହିତ ନିର୍ବାଚନ ସମ୍ପର୍କୀୟ ନୀତିନିୟମକୁ କରାୟତ କରିବା ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରାକ ପ୍ରସ୍ତୁତି ଭଲ ଭାବରେ ହେଲେ ନିର୍ବାଚନ ସମୟରେ କିଛି ଅସୁବିଧା ହେବ ନାହିଁ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଏହି ସମ୍ମିଳନୀରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ର, ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ସନ୍ତୋଷ କୁମାର ଦାସ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର, ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ. ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ. ମହେଶ୍ୱର ସ୍ୱାଇଁ, ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେ, ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀମାନେ ଯୋଗଦେଇଥିଲେ ।