ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ଟିଟିଲାଗଡ ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁଙ୍କ ତିନି ଦିନିଆ ବଲାଙ୍ଗିର ଗସ୍ତର ଦ୍ଵିତୀୟ ଦିନରେ ଟିଟିଲାଗଡରେ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଆଜି ଶ୍ରୀ ସାହୁ ଟିଟିଲାଗଡର ବିଭିନ୍ନ ଅଞ୍ଚଳ ପରିଦର୍ଶନରେ ଯାଇ ଯୋଜନା ଗୁଡିକର କାର୍ଯ୍ୟକାରିତା ଉପରେ ପଚାରି ବୁଝିଥିଲେ । ପିପଲପଦରରେ ଛତୁଆ ଉତ୍ପାଦନ କେନ୍ଦ୍ର ବୁଲିବା ସହ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଛତୁଆର ଉତ୍ପାଦନ ବେଳେ ସଂପୂର୍ଣ୍ଣ ସ୍ଵଛତା ଅବଲମ୍ବନ କରିବା, ପକେଟ ପିଛା ଓଜନ ଓ ମାନ ସଠିକ ରହିବା ପ୍ରତି ଯତ୍ନବାନ ହେବାକୁ ସେ କହିଥିଲେ । ଏହାପରେ ମାଲଗୋଦାମପଡ଼ାରେ ମଡେଲ ଅଙ୍ଗନୱାଡି କେନ୍ଦ୍ର ବୁଲି ଦେଖିଥିଲେ । ପିଲାଙ୍କୁ ସୁବିଧା ପଚାରି ବୁଝିବାସହ ଅଙ୍ଗନୱାଡି କର୍ମୀଙ୍କୁ ଯତ୍ନବାନ ହେବାକୁ ତାଗିଦ କରିଥିଲେ । ଭାଟିପଡାରେ ଅଙ୍ଗନୱାଡି କେନ୍ଦ୍ର-୨ରେ ଶିଶୁ ଆହାର ସମୀକ୍ଷା କରିଥିଲେ । ଏହା ପରେ ଦେହସିଲ ଓ ସାନପତ୍ରପାଲିରେ ଅଣସୁଚିତ ଜାତି ଓ ଅଣସୂଚିତ ଜନଜାତି ବିଭାଗ ପକ୍ଷରୁ ଚାଲିଥିବା ଉଚ୍ଚ ବିଦ୍ୟାଳୟରେ ଖାଦ୍ୟ ଏବଂ ମେଡିକାଲ ସୁବିଧା ତଦାରଖ କରିଥିଲେ । ଜାଗୁଆ ଗ୍ରାମ ପଞ୍ଚାୟତରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ମିଳୁଥିବା ରାସନ ବାବଦରେ ବଣ୍ଟନ କେନ୍ଦ୍ରରେ ହିତାଧିକାରୀଙ୍କ ପ୍ରତିକ୍ରିୟା ପଚାରିବୁଝିଥିଲେ । ସେଠାରେ ଗୋଦାମ ଗୃହ ତର୍ଜମା କରିବା ସହ ଷ୍ଟକ ରେଜିଷ୍ଟର ଯାଞ୍ଚ କରିଥିଲେ । ଚାଉଳ ବଣ୍ଟନରେ କୌଣସି ଅନିୟମିତତାକୁ ପ୍ରଶୟ ଦିଆଯିବନି ବୋଲି ସେ ଅଧିକାରୀଙ୍କୁ ତାଗିଦ କରିଥିଲେ । ଅପରାହ୍ନରେ ଟିଟିଲାଗଡ ବ୍ଲକ ଅଫିସ ସମ୍ମିଳନୀ କକ୍ଷରେ ବ୍ଲକସ୍ତରୀୟ ଅଧିକାରୀ, ପଞ୍ଚାୟତସ୍ତରୀୟ ସଦସ୍ୟଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ । ସମ୍ମିଳନୀ କକ୍ଷରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଥିଲେ । ଏହି ଗ୍ରସ୍ତ ବେଳେ ତାଙ୍କ ସହ ରାଜ୍ୟ ଖାଦ୍ୟ ଆୟୋଗର ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ, ପ୍ରେମଶିଳା କେରକେଟା, ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଅନୁପମ ହୋତା, ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ, ଜିଲ୍ଲା ପରିଷଦ ସଦସ୍ୟ ଗୀତା ବିଶି, ବ୍ଲକ ଅଧ୍ୟକ୍ଷ ସଞ୍ଜୁକ୍ତା ନାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.