ବଲାଙ୍ଗିର, (କେପିଏନ୍ଏସ୍) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ବଲାଙ୍ଗିର ଗସ୍ତରେ ଆସିଥିବା ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଗସ୍ତର ଆଜି ଦ୍ଵିତୀୟ ଦିନ ଥିଲା । ୫-ଟି ସଚିବ ସକାଳୁ ବଲାଙ୍ଗିରର ସମଲେଇ ମନ୍ଦିରରେ ପୂଜା କରି ଦିନ ଆରମ୍ଭ କରିଥିଲେ । ଏହା ପରେ ମନ୍ଦିର ପରିକ୍ରମା କରି ପୂଜକ ଓ ଭକ୍ତଙ୍କ ସହ ଆଲୋଚନା କରି ମନ୍ଦିର ଉନ୍ନତି ପାଇଁ ଜିଲ୍ଲାପାଳଙ୍କୁ ଏକ ଡ଼ିପିଆର ପ୍ରସ୍ତୁତ କରିବାକୁ ଆଦେଶ ଦେଇଥିଲେ । ଏହାପରେ କୋଶଳ କଳା ମଣ୍ଡଳ ପଡିଆରେ ବିଭିନ୍ନ ବର୍ଗର ଲୋକଙ୍କ ସହ ସରକାରଙ୍କ ଜନହିତକର ଯୋଜନା କିପରି ରାଜ୍ୟବାସୀଙ୍କ ବଞ୍ଚିବାକୁ ରୂପାନ୍ତରିତ କରି ପାରୁଛି ଜଣାଇଥିଲେ । କୋଶଳ କଳା ମଣ୍ଡଳ ପଡିଆର ଏକ ଉଚିତ ପ୍ଳାନ କରି ସରକାରଙ୍କ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କୁ ଆଦେଶ ଦେଇଥିଲେ । ଏହାପରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ । ୨୦୨୩ ବର୍ଷ ଶେଷ ସୁଧା ବଲାଙ୍ଗିର ସମେତ ଅନ୍ୟ ବ୍ଲକମାନଙ୍କୁ କିପରି ଜଳ ଯୋଗାଣ ହୋଇପାରିବ ସେଥିପାଇଁ ଧ୍ୟାନ ଦେବାକୁ ଆଦେଶ ଦେଇଥିଲେ । ପ୍ରାୟତଃ ୫୨୬୦କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୪୬ ଗ୍ରାମ ପଞ୍ଚାୟତ ତଥା ୭୦,୦୦୦ ଲୋକ ସିଧା ସଳଖ ଉପକୃତ ହେବେ ବୋଲି କହିଛନ୍ତି । ଏହା ସହ ସ୍ପିଲ ୱେ, ଡ୍ୟାମ ମଧ୍ୟ ବୁଲି ଦେଖିଥିଲେ । ପରେ ଯୋଗୀସର୍ଡା ମନ୍ଦିର ବୁଲି ଖୁବ୍ ଶୀଘ୍ର ମନ୍ଦିରର ଉନ୍ନତି କରାଯିବ ବୋଲି କହିଥିଲେ । ଏହାପରେ ପ୍ରଥମ ପର୍ଯ୍ୟାୟରେ ୫-ଟି ଟ୍ରାନ୍ସଫର୍ମମେସନ ଦ୍ଵାରା ବଦଳି ଥିବା ଯୋଗୀସର୍ଡା ଉଚ୍ଚ ବିଦ୍ୟାଳୟ ବୁଲି ଦେଖିଥିଲେ । ଇ-ଲାଇବ୍ରେରୀ, ଲାବ ସବୁ ଦେଖି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ସମ୍ପତିକୁ ନିଜ ସମ୍ପତି ଭଳି ତାହାର ଧ୍ୟାନ ନେବାକୁ କହିଥିଲେ । ଏହା ପରେ ଲୋଇସିଂହାରେ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବୈଠକରେ ଉପସ୍ଥିତ ଜନସାଧାରଣଙ୍କ ସହ ମିଶିବା ସଂଗେ ସେମାନଙ୍କର ବିଭିନ୍ନ ଆପତ୍ତି ଓ ଅଭିଯୋଗ ଗ୍ରହଣ କରିଥିଲେ । ସମସ୍ତ ଅଭିଯୋଗର ଯଥା ଶୀଘ୍ର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ରାଣୀପୁର ଝରିଆଲ ଏବଂ ଶେଷରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଣୀପୁର ଝରିଆଲକୁ ଯଥା ଶୀଘ୍ର ପର୍ଯ୍ୟଟକଙ୍କ ସୁବିଧା ସହ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ପାଇଁ ନିର୍ଦ୍ଦେଶ ଦେବା ସହିତ ସରକାରଙ୍କ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କୁ କହିଥିଲେ ।
Prev Post
Next Post