ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର ତିନୋଟି ସ୍ଥାନ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ । ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପ ନିକଟରେ ନିର୍ମିତ ହେଲିପ୍ୟାଡରେ ସେ ସକାଳ ୯ ଟାରେ ପହଁଚିବା ପରେ ଡ୍ୟାମ କାମ ଅନୁଧ୍ୟାନ କରିଥିଲେ । ସେଠାରୁ ବାହାରି ଯୋଗୀସର୍ଡା କଲେଜ ପଡିଆଠାରେ ନିର୍ମିତ ହେଲିପ୍ୟାଡରେ ଓହ୍ଲାଇ ୫ଟି ରୂପାନ୍ତରିତ ସ୍ଥାନୀୟ ହରିହର ହାଇସ୍କୁଲଠାରେ ପହଞ୍ଚିଥିଲେ । ଫାଇଭ ଟି ସ୍କୁଲ ଏବଂ ସ୍ମାର୍ଟ କ୍ଲାସ କେମିତି ଲାଗୁଛି ବୋଲି ପିଲାଙ୍କୁ ପଚାରି ବୁଝିଥିଲେ । ଜିଲ୍ଲାପାଳ ଚଞ୍ଚଳ ରାଣା, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ପ୍ରଧାନ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ପରେ ସେ ଗ୍ରାମର ପ୍ରସିଦ୍ଧ ଶୈବପୀଠ ଯୋଗେଶ୍ୱର ମହାଦେବଙ୍କ ଦର୍ଶନ କରିବା ସହିତ ପୀଠର ପୁନର୍ବିନ୍ୟାସ ପାଇଁ ରାଜ୍ୟ ସରକାର ୪ କୋଟି ୨୭ ଲକ୍ଷ ଅନୁଦାନ ଦେଇଥିବା ଘୋଷଣା କରିଥିଲେ । ପରେ ଲୋଇସିଂହା କଲେଜ ପଡିଆଠାରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ଫାଇଭ ଟି ସଚିବ । ଚାଷୀଙ୍କ ସମସ୍ୟାକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରାଯିବା ସହିତ ଧର୍ମାନୁଷ୍ଠାନ ସମ୍ପର୍କିତ ଦାବୀକୁ ୭ ଦିନ ମଧ୍ୟରେ ଚୂଡାନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନାସୁଧରେ ଚାଷୀଙ୍କୁ ଋଣ ଯୋଗାଇ ଦିଆଯାଉଥିବା ସଚିବ ସୂଚନା ଦେଇଥିଲେ । ବଲାଙ୍ଗିର ଜିଲ୍ଲାର ୪୫ ହଜାର ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକୃତ ହେବା ସହିତ ସେ ବାବଦରେ ରାଜ୍ୟ ସରକାର ଶହେ କୋଟି ଟଙ୍କା ଖର୍ଚ୍ଚ କରିଥିବା ସେ ସୂଚନା ଦେଇଥିଲେ । ଏଥିସହିତ ଚଳିତ ବର୍ଷ ଖରିଫଚାଷ ବୀମା ନିମନ୍ତେ ଜିଲ୍ଲାର ୨ ଲକ୍ଷ ଚାଷୀ ଆବେଦନ କରିଥିବା ବେଳେ ସେ ବାବଦ ବୀମାରାଶି ରାଜ୍ୟ ସରକାର ବହନ କରିଛନ୍ତି ବୋଲି କହିଛନ୍ତି ଶ୍ରୀ ପାଣ୍ଡିଆନ । ୨୦୦୯ରେ ମିଶନ ଶକ୍ତି ଆରମ୍ଭ ହେବା ପରେ ଏସ୍ଏଚ୍ଜି ମହିଳାଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଛି । ଆର୍ଥିକ ସ୍ୱାବଲମ୍ବୀ ହେବା ପାଇଁ ସେମାନଙ୍କୁ ବିନାସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି । ଲୋକଙ୍କ ସମସ୍ୟା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ମୋତେ ପଠାଇଛନ୍ତି ବୋଲି କହିଥିଲେ ଶ୍ରୀ ପାଣ୍ଡିଆନ । ସଚିବଙ୍କ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣ।, ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା, ଏସ୍ପି ଋଷିକେଶ ଖିଲାରୀ, ସମ୍ବଲପୁର ଡିଆଇଜି ସମର୍ଥ ବର୍ମା, ସମ୍ବଲପୁର ଅତିରିକ୍ତ ଏସ୍ପି ନାରାୟଣ ନାୟକ, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ବିଡ଼ିଓ ଆକାଶ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।