oom

ମୁଖ୍ୟ ଶାସନ ସଚିବଙ୍କ ଦେଓମାଳି ଓ କୋଟିଆ ଗସ୍ତ

jsmm

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲ୍ଲାର ଦେଓମାଳି ଓ କୋଟିଆ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଦେଓମାଳୀଠାରେ ଇକୋ ଟୁରିଜିମ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହ ଚାରା ରୋପଣ କରିଥିଲେ । ସେହିଭଳି କୋଟିଆରେ ସରକାରଙ୍କ ପକ୍ଷରୁ ଜାରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ଅନୁଧ୍ୟାନ କରିଥିଲେ । ସେଠାରେ ବାସନା ଗେମେଲଙ୍କ ଦ୍ୱାରା ଷ୍ଟ୍ରବେରୀ ଚାଷ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମହୁ ଚାଷ ବୁଲି ଦେଖିବା ସହ ଆବଶ୍ୟକୀୟ ପ୍ରୋତ୍ସାହନ ଦେବା ପାଇଁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ଏକ ଫରେଷ୍ଟ ଗେଷ୍ଟ ହାଉସ ଓ ଶୀତଳ ଭଣ୍ତାରର ଉଦ୍‌ଘାଟନ କରିଥିଲେ । ରଣାସିଂ ଅଞ୍ଚଳରେ ଅଙ୍ଗନୱାଡି କେନ୍ଦ୍ରର ଶୁଭ ଉଦ୍‌ଘାଟନ କରିବା ସହ ପିଲାମାନଙ୍କୁ ପୋଷାକ ଓ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ ।

ସେହିଭଳି ସେମିଳିଗୁଡ଼ା ବ୍ଲକର ରାଜପୁଟଠାରେ ମିଶନ ଶକ୍ତି ଦ୍ୱାରା ପରିଚାଳିତ ଏକ ମିଲେଟ୍ ପ୍ରୋସେସିଂ ୟୁନିଟର ଉଦ୍‌ଘାଟନ କରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଗାଲିଗାବଦରଠାରେ ୱାଟରପୁଲ ବୁଲି ଦେଖିଥିଲେ । ଏହାକୁ ସଠିକ ଭାବେ ପରିଚାଳନା କରିବାକୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ସେଠାରେ ଏକ ଇକୋ ରିସୋର୍ଟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଏତଦ୍ ବ୍ୟତୀତ ସରକାରଙ୍କ ପକ୍ଷରୁ ଜିଲ୍ଲାରେ ଜାରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟ ଶାସନ ସଚିବଙ୍କ ଏହି ଗସ୍ତ ସମୟରେ ଜିଲ୍ଲାପାଳ ଅବଦ୍ଦଲ ଏମ୍ ଅକତାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଗୌରବ ଶିବାଜୀ ଇସଲୱାର, ଆଇଟିଡିଏର କାରୁ ସୋରେନ, ଉପ ଜିଲ୍ଲାପାଳ ବେଣୁ ଧର ଶବର, ଡିଏଫଓ ଅମିତାରାଣୀ ରୟ, ପଟ୍ଟାଙ୍ଗି ବିଡଓ ସୌମ୍ୟ ସାର୍ଥକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.