ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ

  • ବିଭିନ୍ନ ନିର୍ମାଣାଧିନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ କଳାହାଣ୍ଡି ଗସ୍ତରେ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟସ୍ଥଳୀଗୁଡିକୁ ପରିଦର୍ଶନ କରିଛନ୍ତି । ଏହ କ୍ରମରେ ସେ ପ୍ରଥମେ ମଦନପୁର-ରାମପୁର ପାଇକପଡାଠାରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଏକ କଲ୍ୟାଣ ମଣ୍ଡପକୁ ଉଦ୍‌ଘାଟନ କରିଥିଲେ । ଦୀର୍ଘଦିନ ଧରି ଅର୍ଦ୍ଧନିର୍ମିତ ଭାବେ ପଡି ରହିଥିବା ଏହି କଲ୍ୟାଣ ମଣ୍ଡପକୁ ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ୪୦ ଲକ୍ଷ ଓ ଅନ୍ୟାନ୍ୟ ପାଣ୍ଠିରୁ ୧୧ ଲକ୍ଷ ଅନୁଦାନ ଯୋଗାଇ ଦିଆଯାଇ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରାଯାଇଛି । ପରେ ଶ୍ରୀ ତ୍ରିପାଠୀ କର୍ଲାମୁଣ୍ଡା ବ୍ଲକ ସ୍ଥିତ ରିଷିଡା ବାପୁଜୀ ହାଇସ୍କୁଲର ମିନି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ତାଙ୍କ ପରିଦର୍ଶନ ସମୟରେ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀମାନେ ଏହି ଖେଳପଡିଆର ଉନ୍ନତିକରଣ ନିମନ୍ତେ ପରିଷଦ ତରଫରୁ ପଦକ୍ଷେପ ନେବାକୁ ଅନୁରୋଧ ଜଣାଇଥିଲେ । ମିନିଷ୍ଟାଡିୟମ ନିକଟରେ ଥିବା ଏକ ପରିତ୍ୟକ୍ତ ପୋଖରୀର ପୁନଃଉଦ୍ଧାର ଏବଂ ଖେଳପଡିଆର ଉନ୍ନତି ନିମନ୍ତେ ଆବଶ୍ୟକ ଡିପିଆର୍‌ ପ୍ରସ୍ତୁତ କରି ପରିଷଦ କାର୍ଯ୍ୟାଳୟକୁ ପ୍ରେରଣ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ । ଏହି ଗସ୍ତକାଳରେ ଶ୍ରୀ ତ୍ରିପାଠୀ କେସିଙ୍ଗା ଅନ୍ତର୍ଗତ ବେଲଖଣ୍ଡିର ପ୍ରାଚୀନ ଶୈବପୀଠ ପରିଦର୍ଶନ କରିଥିଲେ । ରତେଇ ଏବଂ ତେଲନଦୀର ସଂଗମ ସ୍ଥଳରେ ଅବସ୍ଥିତ ଏହି ମନ୍ଦିର ଅଷ୍ଟାଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ବିଶ୍ୱାସ କରାଯାଏ । ଏହି ଶୈବପୀଠକୁ ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରାଯାଇପାରିବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ । ବିଗତ ବର୍ଷଗୁଡିକରେ ନିର୍ମାଣାଧିନ ବିଶ୍ରାମସ୍ଥଳୀଗୁଡିକୁ ସମ୍ପୂର୍ଣ୍ଣ କରିବା ପାଇଁ ପରିଷଦ ତରଫରୁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି ବୋଲି କହିବା ସହ ସ୍ଥାନୀୟ ଲୋକଙ୍କ ଅନୁରୋଧ କ୍ରମେ ବଲାଙ୍ଗିର ଜିଲ୍ଲାର ଗୁଡଭେଲା ବ୍ଲକକୁ ସଂଯୋଗ କରୁଥିବା ତେଲନଦୀ ଉପରେ ନିର୍ମାଣାଧିନ ପୋଲକୁ ତୁରନ୍ତ ସଂପୂର୍ଣ୍ଣ କରିବା ଏବଂ ଆନିକଟ କରାଯାଇ ନଦୀଗର୍ଭରେ ଜଳଭଣ୍ଡାର ସୃଷ୍ଟି କରିବା ନିମନ୍ତେ ଡିପିଆର୍‌ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଶ୍ରୀ ତ୍ରିପାଠୀ ଏହି ଗସ୍ତ ସମୟରେ ମଦନପୁର ରାମପୁର ବ୍ଲକର ଯୁବ ଉଦ୍ୟୋଗୀ ବିଭୁପ୍ରସାଦ ସାହୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ହରପ୍ରିୟା ରିଫ୍ରାକ୍ଟୋରିଜ୍‌ ପ୍ରାଇଭେଟ ଲିମିଟେଡ୍‌’ ପରିଦର୍ଶନ କରିଥିଲେ । ଏଠାରେ ରାଇସ ହ୍‌କସ ପାଉଁଶରୁ ଥର୍ମାଲ ଇନ୍‌ସୁଲିନ ତିଆରି କରାଯାଇ ଜେଏସ୍‌ଡବ୍ଲ୍ୟୁ କର୍ଣ୍ଣାଟକ, ମହାରାଷ୍ଟ୍ର, ଝାରସୁଗୁଡା ଆର୍‌ଆଇଏନ୍‌ଏଲ୍‌ ବିଶାଖାପାଟଣା ପ୍ରଭୃତି ସ୍ଥାନକୁ ପଠାଯାଉଛି । ଏପରିକି ଏହି ଉତ୍ପାଦକୁ ଭାରତ ବାହାରେ ତାଇୱାନ, ଇଜିପ୍ଟ, ବାହାରିନ୍‌ ଏବଂ ସାଉଦି ଆରବ ଭଳି ଦେଶକୁ ରପ୍ତାନୀ କରାଯାଉଛି । ଶ୍ରୀ ସାହୁ ୨ କୋଟି ଟଙ୍କା ମୂଳଧନ ଖଟାଇ ଆରମ୍ଭ କରିଥିବା ଏହି ଉଦ୍ୟୋଗକୁ ଇତି ମଧ୍ୟରେ ଷ୍ଟାର୍ଟଅପ୍‌ ଓଡିଶା ତରଫରୁ ପ୍ରୋତ୍ସାହନମୂଳକ ରାଶି ପ୍ରଦାନ କରାଯାଇଛି । ଶ୍ରୀ ତ୍ରିପାଠୀ ତାଙ୍କର ଏହି ଗସ୍ତ ବେଳେ ମଦନପୁର ରାମପୁରର ହରିସାଗର ଓ ନର୍ଲା ବ୍ଲକରେ ରାଣୀବନ୍ଧ ପରିଦର୍ଶନ କରିଥିଲେ । ଏହି ଦୁଇଟି ବୃହତ ଜଳାଶୟ ଉନ୍ନତିକରଣ ଓ ପୁନଃ ଉଦ୍ଧାର ନିମନ୍ତେ ଆବଶ୍ୟକ ପାଣ୍ଠି ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ କରିବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଥିଲେ । ଶ୍ରୀ ତ୍ରିପାଠୀ ଏ ଦିଗରେ ନିଶ୍ଚିତ ଭାବେ ଦୃଷ୍ଟି ଦେବେ ଏବଂ ଏହାକୁ ଏକ ଆକର୍ଷଣୀୟ ଜଳାଶୟ ଓ ପାର୍କ ଭାବେ ବିକଶିତ କରିବାକୁ ପଦକ୍ଷେପ ନବାକୁ ପ୍ରତିଶୃତି ଦେଇଥିଲେ । ପରେ ସେ ପରିଷଦ ଅନୁଦାନରେ ନର୍ଲା ହାଇସ୍କୁଲ ପଡିଆରେ ନିର୍ମାଣାଧିନ ମିନିଷ୍ଟାଡିୟମକୁ ପରିଦର୍ଶନ କରି ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ପରେ ଶ୍ରୀ ତ୍ରିପାଠୀ ଲାଞ୍ଜିଗଡ ବ୍ଲକ ଗସ୍ତ କରି ବିଶ୍ୱନାଇପୁରଠାରେ ମହଳା ସ୍ୱୟଂ ସହାୟକ ଗୋଷ୍ଠୀ କନ୍‌ଭେନ୍‌ସନ୍‌କୁ ଉଦ୍‌ଘାଟନ କରିଥିଲେ । ସେ ସେଠାରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ତିଆରି କରିଥିବା ବାଉଁଶ ଶିଳ୍ପ, ସଉରାକଳା, ଜନଜାତି ଖାଦ୍ୟ, ହଳଦୀ ଓ ଲଙ୍କାଗୁଣ୍ଡ, ଛତୁଚାଷ ଇତ୍ୟାଦି ନିରୀକ୍ଷୟ କରିଥିଲେ । ଏହି ଅବସରରେ ମହିଳାମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ଶିଳ୍ପର ବିକାଶ ହେଲେ ଅଞ୍ଚଳର ବିକାଶ ସମ୍ଭବ ହୋଇଥାଏ । ବେଦାନ୍ତ ଏକ ଅଗ୍ରଣୀ ଶିଳ୍ପ ପ୍ରତିଷ୍ଠାନ ଭାବେ ଏହି ଅଞ୍ଚଳର ଓ ଲୋକଙ୍କ ବିକାଶ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ସର୍ବଦା ଶିଳ୍ପର ବିକାଶ ଓ ଲୋକଙ୍କ ଜୀବନଜୀବିକା ସହ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା ପ୍ରୟାସ କରୁଥିବା ଦର୍ଶାଇ ରାଜ୍ୟରେ ୭ ହଜାର ଏସ୍‌ଏଚ୍‌ଜି ଜରିଆରେ ୭୦ ଲକ୍ଷ ମହିଳା ସ୍ୱାବଲମ୍ବୀ ହୋଇପାରିଥିବା କହିଥିଲେ । ସେ ଶକ୍ତିମୟୀ ଫେଡେରେସନ୍‌ରେ ପ୍ରାୟ ୨ ହଜାର ମହିଳା ଗୋଷ୍ଠୀଙ୍କୁ ଜଡିତ କରି ସେମାନଙ୍କ ଆର୍ଥିକ ସ୍ୱଚ୍ଛଳତା ଆଣିବା ଦିଗରେ ପଶ୍ଚିମ ଓଡିଶା ବିକାଶ ପରିଷଦ କାମ କରିବାକୁ ପ୍ରତିଶୃତି ଦେଇଥିଲେ । ଶ୍ରୀ ତ୍ରିପାଠୀ ଏହି ଅବସରରେ ମୋତିଆ ବିନ୍ଦୁ ଅସ୍ତ୍ରେପଚାର ନିମନ୍ତେ ୩୫ ଜଣ ଲୋକଙ୍କୁ ନେଇ ଯିବାକୁ ଥିବା ଏକ ବସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏସବୁ କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ଭୂପତନ୍ଦୀ ସିଂ, ଜିଲ୍ଲା ପରିଷଦର ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଜିତ ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡି, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ସଚିନ ପାୱାର, ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର, ବେଦାନ୍ତ ସିଇଓ ଜି. ଜି. ପାଲ, ବେଦାନ୍ତ ଅଧିକାରୀ ବିଭୁ ପ୍ରସାଦ ପଣ୍ଡା, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.