ବିଧାୟକ ନରସିଂହ ମିଶ୍ରଙ୍କ ଉପରେ ଗର୍ଜିଲା ବିଜେଡି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଧାୟକ ନରସିଂହ ମିଶ୍ରଙ୍କ ଉପରେ ଗର୍ଜିଛି ବିଜେଡି । ଆଜି ଜିଲ୍ଲାପାଳ ଅଫିସ ଘେରାଉ କରି ବିଧାୟକ ନରସିଂହ ମିଶ୍ରଙ୍କ ଉପରେ ପ୍ରବଳ ଆରୋପ ଲଗାଇ ବିଜେଡି କହିଛି ଯେ, ବଲାଙ୍ଗିର ପୌରପାଳିକାରେ ବିଜେଡି କାଉନସିଲ୍‌ ଆସିବା ପରେ ନରସିଂହ ଓ କାଉନସିଲ୍‌ ମଧ୍ୟରେ ରୀତିମତ ତୁତୁ ମେମେ ଚାଲିଛି । ବଲାଙ୍ଗିର ପୌରପାଳିକାରେ ବିଜେଡିର ଅଧ୍ୟକ୍ଷା ଲିକା ସାହୁ ବିପୁଳ ଭୋଟରେ ଜିଣିବା ସହିତ ୨୧ଟି କାଉନସିଲର୍‌ଙ୍କ ମଧ୍ୟରୁ ୧୬ଟିରେ ଶାସକ ବିଜେଡି ଦଳ ଜିଣିଛି । ମୁଖ୍ୟତଃ ବସ୍ତି ବାସିନ୍ଦା ବହୁମାତ୍ରାରେ ବିଜେଡିକୁ ଭୋଟ ଦେଇଛନ୍ତି । ତେଣୁ ନରସିଂହ ମିଶ୍ର ବଲାଙ୍ଗିର ସହରରେ ବିକାଶ ନାମରେ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ କରି ହଇରାଣ କରିବାକୁ ହୀନ ଉଦ୍ୟମ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ବଲାଙ୍ଗିର ଇନ୍ଦିରାନଗର ଓ ଇଚ୍ଛାପଡାରେ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ପାଇଁ ନରସିଂହ ରାଜ୍ୟସରକାର ଉପରେ ବାରମ୍ବାର ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି । ଏପରିକି ନିର୍ବାଚିତ କାଉନସିଲ୍‌କୁ ଭାଙ୍ଗି ଦେବାକୁ ଧମକ ମଧ୍ୟ ଦେଉଛନ୍ତି । ତେଣୁ ଆଜି ବସ୍ତି ବାସିନ୍ଦାଙ୍କୁ ସାଙ୍ଗରେ ନେଇ ବିଜେଡି ବଲାଙ୍ଗିରରେ ବିଶାଳ ଶୋଭାଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିଛି । ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ସହିତ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ, ଦେବକୀ ସାହୁ ଲିକା ସାହୁ ଓ ଅନେକ ବିଜେଡ଼ି କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇ ନରସିଂହଙ୍କୁ ଖୋଲା ଆହ୍ୱାନ କରିଛନ୍ତି । ବିଜେଡି ଦାବୀ କରିଛି ଯେ, ବଲାଙ୍ଗିର କ୍ଲବପଡାର ଲକ୍ଷ୍ମୀନାରାୟଣ ମନ୍ଦିର ଓ ସ୍କୁଲର ଜମିକୁ ଡିମାରକେସନ କରାଯାଉ । ଏହା ସହିତ ଗତ ୯ ବର୍ଷରେ କ୍ଷମତାର ଅପବ୍ୟବହାର କରାଯାଇ ଏସ୍‌ସି/ଏସ୍‌ଟି ଜମିକୁ ସାଧାରଣଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଘଟଣା ପଛର ଖଳନାୟକଙ୍କୁ ଖୁଲାସା କରାଯାଉ ।

Leave A Reply

Your email address will not be published.