ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ତରଫରୁ ଶ୍ରମିକ ଗର୍ଜ୍ଜନ ସମାବେଶ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାକ ଶ୍ରମିକ ଆସି ସମାବେଶରେ ଯୋଗ ଦେବା ସହିତ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶ୍ରମିକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଡିଏମଙ୍କୁ ଅଠର ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଶ୍ରମିକ ମହାସଂଘର ନେତୃତ୍ୱରେ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଘ, ଭାରତୀୟ ମଜଦୁର ସଂଘ, ଆମ୍ବେଦକର ଶ୍ରମିକ ଅଧିକାର ମଞ୍ଚ, ନ୍ୟାସନାଲ୍ ଫେଡେରେସନ୍ ଅଫ ଇଣ୍ଡିଆ ଟ୍ରେଡୟୁନିଅନ, ଜିଲ୍ଲା ଶ୍ରମିକ ବିକାଶ ସଂଘ, ଓଡିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ସଂଘ ଭଳି ସଂଗଠନର ସମର୍ଥନରେ ହଜାର ହଜାର ଶ୍ରମିକ ସାମିଲ ହୋଇଥିଲେ । ଶ୍ରମିକମାନେ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ପ୍ରତିବାଦ ସଭା କରି ସରକାରଙ୍କ ଶ୍ରମିକ ମାରଣନୀତିକୁ ବିରୋଧ କରିବା ସହିତ ଅଠର ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ଅଠର ଦଫା ସମ୍ବଳିତ ଦାବୀ ହେଲା ଦାଦନ ମୁକ୍ତ ଜିଲ୍ଲା, ଶ୍ରମିକଙ୍କ ଅଧିକାର, ମନରେଗା ଶ୍ରମିକଙ୍କ ପାଉଣା ଓ ଦୁର୍ନୀତିର ତଦନ୍ତ, ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ନବୀକରଣ, ପଞ୍ଜିକରଣ, କୋଭିଡ ସହାୟତା ପ୍ରଦାନ, ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରିବା, ପ୍ରତ୍ୟେକ ବ୍ଳକରେ ଶ୍ରମ ଅଧିକାରୀ ନିଯୁକ୍ତି କରିବା ପାଇଁ ଦାବୀ ପ୍ରଦାନ କରିଛନ୍ତି ।