jayashree

ଗାଁକୁ ରାସ୍ତା ନାହିଁ, ଦୋଳାରେ ମେଡିକାଲ ଗଲେ ଗର୍ଭବତୀ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତାଘାଟ ନିର୍ମାଣ କରୁଛନ୍ତି । ହେଲେ ଏବେ ବି ଅନେକ ସ୍ଥାନରେ ରାସ୍ତା ନଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଦୋଳାରେ ବୁହା ହେଉଛନ୍ତି ଗର୍ଭବତୀ । ଏହା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଶାଢ଼ିଙ୍ଗିଆ ପଞ୍ଚାୟତରେ । ରାସ୍ତାଘାଟ ଅଭାବରୁ ଗାଁରେ ଆମ୍ବୁଲାନ୍ସ ପହଞ୍ଚି ନଥିବାରୁ ଦୋଳାରେ ଗର୍ଭବତୀଙ୍କୁ ନିଆଯାଇଛି । ବୁଧବାର ସକାଳେ ମୁସୁମାସ୍କା ଗ୍ରାମର ବାଳକୃଷ୍ଣ ମଲ୍ଲିକଙ୍କ ସ୍ତ୍ରୀ ଇନାମତିଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା । ଜନନୀ ଏକ୍ସପ୍ରେସ୍‌କୁ ଖବର ଦିଆଯାଇଥିଲେ ବି ଗାଁ ପର୍ଯ୍ୟନ୍ତ ରାସ୍ତା ନ ଥିବାରୁ ଘର ପାଖରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ବାଧ୍ୟ ହୋଇ ପରିବାର ଓ ପଡ଼ୋଶୀ ଲୋକେ ଏକ ଦୋଳାରେ ଇନାମତିଙ୍କୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ପକ୍କା ରାସ୍ତା ପର୍ଯ୍ୟନ୍ତ ବୋହି ଆଣିଥିଲେ । ସେଠାରୁ ଜନନୀ ଏକ୍ସପ୍ରେସ ଯୋଗେ ଫିରିଙ୍ଗିଆ ଡାକ୍ତରଖାନାକୁ ନିଆଯାଉଥିଲା । ତେବେ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଆମ୍ବୁଲାନ୍ସ ଭିତରେ ହିଁ ଇନାମତି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଏବେ ମା’ ଛୁଆ ଉଭୟ ସୁସ୍ଥ ଥିବା ଜଣାପଡିଛି । ଗତ ଲଗାଣ ବର୍ଷାରେ ଏହି ରାସ୍ତା ଧୋଇ ହୋଇଥିବା ସହ ଅନେକ ଦିନ ତଳେ ଗାଁକୁ ମାଟି ରାସ୍ତା ନିର୍ମାଣ ହୋଇଥିବା ଗାଁ ଲୋକେ କହିଛନ୍ତି । ଆଜି ପର୍ଯ୍ୟନ୍ତ ରାସ୍ତା ପୁନଃ ନିର୍ମାଣ ହୋଇ ପାରିନାହିଁ । ଫଳରେ ଗାଁଟି ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା ନିର୍ମାଣ କରିବାକୁ ଗାଁ ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.