ଘର ଭିତରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ଘଟଣା : ୬ ଘଣ୍ଟା ପୋଲିସକୁ ଅଟକ ରଖିଲେ ଉତ୍ୟକ୍ତ ଗ୍ରାମବାସୀ

  • ୩ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ପାଟଣାଗଡ଼, (ଅଶୋକ କୁମାର ବାଗ) : ଗତ ଜୁନ୍ ମାସ ୧୪ ତାରିଖ ପାଟଣାଗଡ଼ ଥାନା ଭଇଁଷା ଗ୍ରାମରେ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ କିନ୍ତୁ ପରିବାର ଲୋକ ଏବଂ ଗ୍ରାମବାସୀ ଏହାକୁ ଯୋଜନା ବଦ୍ଧ ହତ୍ୟା ବୋଲି ପୋଲିସ ପାଖରେ ଅଭିଯୋଗ କରିଥିଲେ । ପାଟଣାଗଡ଼ ପୋଲିସ ଘଟଣାର ତଦନ୍ତ କରି ଚୁପ୍‌ଚାପ୍‌ ରହିଯାଇଥିଲା । ଦୀର୍ଘ ଗୋଟିଏ ମାସ ବିତିଯାଇଥିଲେ ସୁଦ୍ଧା ପୋଲିସ ହତ୍ୟାକାରୀର ଟେର ପାଇନଥିଲା । ପରିବାର ଲୋକ ଏବଂ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପୋଲିସ ଅଧିକ୍ଷକ ଅଭିଳାଷ ଜିଙ୍କୁ ଭେଟି ବାରମ୍ବାର ଅଭିଯୋଗ କଲାପରେ ଗତକାଲି ପାଟଣାଗଡ଼ ପୋଲିସ ଘଟଣାସ୍ଥଳକୁ ଯାଇ ପୁଣି ତଦନ୍ତ ଆରମ୍ଭ କରିଥିଲା । ପୋଲିସର କାର୍ଯ୍ୟ ଉପରେ ଅସନ୍ତୁଷ୍ଟ ହୋଇ ଏବଂ ମୃତ ନାବାଳିକାର ବ୍ୟବଚ୍ଛେଦ ରିପୋର୍ଟ ଭୁଲ ଦେଇଥିବା କହି ଭଇଁଷା ଗ୍ରାମବାସୀ ଏବଂ ମୃତ ନାବାଳିକାଙ୍କ ପରିବାର ଲୋକ ପୋଲିସକୁ ୬ ଘଣ୍ଟା ପର୍ଯ୍ୟନ୍ତ ଗ୍ରାମରେ ଅଟକ ରଖିଥିଲେ । ଗାଁ ଲୋକେ ବାରମ୍ବାର ଜିଦ୍‌ରେ ଅଟଳ ରହି ଅଭିଯୁକ୍ତମାନଙ୍କୁ ଗିରଫ ଦାବି କରିଥିଲେ । ତିନି ଅଭିଯୁକ୍ତ ମହିଳାଙ୍କୁ ପୋଲିସ ଗିରଫ କଲାପରେ ଶେଷରେ ଉତ୍ୟକ୍ତ ଗାଁଲୋକ ପୋଲିସକୁ ଛାଡିଥିଲେ । ଅଭିଯୁକ୍ତ ତିନି ମହିଳାଙ୍କୁ ଗିରଫ କରି ଗାଁ ଦାଣ୍ଡରେ ଚଳାଇ ଚଲାଇ ନେଇଥିଲେ ପାଟଣାଗଡ଼ ପୋଲିସ । ତିନି ମହିଳାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସଦାନନ୍ଦ ପୁଝାରୀ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.