ଦେବଗଡ଼ : ଚୋରା ଚାଲାଣ ବେଳେ ବସ୍ରୁ ଗଞ୍ଜେଇ ଜବତ । ଦେବଗଡ଼ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏକ ବେସରକାରୀ ବସ୍ରେ ଚଢାଉ କରାଯାଇ ୧୭ କେ.ଜି ଗଞ୍ଜେଇ ଜବତ ହୋଇଛି । ଏହା ସହ ଅବକାରୀ ବିଭାଗ ୪ ଜଣଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ସମ୍ବଲପୁରରୁ ବାରିପଦା ଯାଉଥିବା ନୀଳମାଧବ ବସ୍ରେ ବେଆଇନ୍ ଭାବେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଅବକାରୀ ସବ ଇନ୍ସପେକ୍ଟର ଚନ୍ଦ୍ର ଶେଖର ପଢିଆରୀଙ୍କ ନେତୃତ୍ଵରେ ବସକୁ ଯାଞ୍ଚ କରାଯାଇଥିଲା । ଯାଞ୍ଚ୍ ସମୟରେ ବସରେ ଥିବା ଏକ ବ୍ୟାଗରୁ ୧୭ ପ୍ୟାକେଟ୍ ଗଞ୍ଜେଇ ମିଳିଥିଲା । ସେହି ଗଞ୍ଜେଇକୁ ନେଇ ଯାଉଥିବା ଚାରିଜଣ ଯୁବକଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇଛି ।
ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି । ଗିରଫ ଯୁବକମାନଙ୍କ ମଧ୍ୟରେ ଜଣେ କଲେଜ ଛାତ୍ର ରହିଥିବା ଜଣାପଡିଛି । ଗିରଫ ଯୁବକମାନଙ୍କୁ କିଏ ଗଞ୍ଜେଇ ଦେଇ ପଠାଉଥିଲା ସେନେଇ ଅବକାରୀ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି ।