jayashree

ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ଜଣ ଯୁବତୀଙ୍କୁ କାବୁ କଲା ବଲାଙ୍ଗିର ଅବକାରୀ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଲୱେ ଷ୍ଟେସନଠାରେ ଆଜି ଗଂଜେଇ ଚାଲାଣ ମାମଲାରେ ଦୁଇଜଣ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ବଲାଙ୍ଗିର ଅବକାରୀ ବିଭାଗ । ଏହି ଘଟଣାକୁ ନେଇ ସହରର ବୁଦ୍ଧିଜୀବୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି । ଏବେ ଗଂଜେଇ ଚାଲାଣର ନୂଆ ପ୍ଲାନ୍‌ ସାମ୍‌ନାକୁ ଆସିଛି । ଯୁବତୀଙ୍କ ମାଧ୍ୟମରେ କରାଯାଉଛି ଗଂଜେଇ ଚାଲାଣ । ଏମିତି ଏକ ଘଟଣାର ଖୁଲାସା କରିଛି ବଲାଙ୍ଗିର ରେଲୱେ ପୋଲିସ । ସୂଚନା ଅନୁସାରେ ଆଜି ବଲାଙ୍ଗିର ରେଲୱେ ଷ୍ଟେସନରେ ଦୁଇଟି ଟ୍ରଲି ବ୍ୟାଗ ଧରି ଦୁଇଜଣ ଯୁବତୀ ସନ୍ଦେହ ଜନକ ଅବସ୍ଥାରେ ବସିଥିଲେ । ରେଲୱେ ପୋଲିସ ଉଭୟଙ୍କୁ କାବୁ କରି ବ୍ୟାଗକୁ ଖୋଲି ଦେଖିବା ବେଳକୁ ବ୍ୟାଗ ଭିତରୁ ୨୨ କେଜି ଗଂଜେଇ ବାହାରିଥିଲା । ଏ ସଂକ୍ରାନ୍ତରେ ରେଲୱେ ପୋଲିସ ଅବକାରୀ ବିଭାଗକୁ ଖବର ଦେବା ପରେ ବଲାଙ୍ଗିର ଅବକାରୀ ବିଭାଗର କର୍ମଚାରୀମାନେ ଆସି ଗଂଜେଇ ଜବତ କରିବା ସହ ଦୁଇଜଣ ଯୁବତୀଙ୍କୁ ଗିରଫ କରିଥିଲେ । ଗିରଫ୍‌ ଦୁଇ ଯୁବତୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଦୁଇଜଣ ଯୁବତୀଙ୍କ ଭିତରୁ ଜଣେ ମାଲକାନଗିରି ଜିଲ୍ଲାର ରଜନୀ ବାଗ ହୋଇଥିବା ବେଳେ ଅନ୍ୟ ଜଣକ ନବରଙ୍ଗପୁର ଜିଲ୍ଲାର ଚଂଚଳ ହରିଜନ । ଉଭୟ ଯୁବତୀ ଭବାନୀପାଟଣାରୁ ବାଲାଙ୍ଗିରକୁ ଗଂଜେଇ ଆଣିଥିବା ଜଣାପଡିଛି । ତେବେ ଦୁଇ ଯୁବତୀ କାହା ପାଇଁ କାମ କରୁଥିଲେ ? ଗଂଜେଇ କାହାଠୁ ଆଣି କାହା ପାଖରେ ପହଞ୍ଚାଇଥାନ୍ତେ, ଏହି କାରବାରର ମୁଖ୍ୟ କିଏ, ସେ ନେଇ ବଲାଙ୍ଗିର ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Leave A Reply

Your email address will not be published.