ରେଙ୍ଗାଲିରେ ଅବକାରୀ ବିଭାଗର ଚଢ଼ାଉ : ୨୫ କିଲୋଗ୍ରାମ ଗଞ୍ଜେଇ ଜବତ, ଦୁଇ ଚାଲାଣକାରୀ ଫେରାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକର ରେଙ୍ଗାଲିଠାରେ ବୁଧବାର ସନ୍ଧ୍ୟା ସାତଟା ସମୟରେ ଖପ୍ରାଖୋଲ ଏବଂ ପାଟଣାଗଡ଼ ଅବକାରୀ ବିଭାଗର ସଂଯୁକ୍ତଟିମ ଚଢ଼ାଉକରି ହାରାହାରି ୨୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ବିଶ୍ୱସ୍ତ ସୂତ୍ର ଅନୁସାରେ ଖପ୍ରାଖୋଲ ଅବକାରୀ ବିଭାଗର ଅଧିକାରୀ ଜୟନ୍ତୀଲାଲ ପାଣ୍ଡେଙ୍କ ନେତୃତ୍ୱରେ ଟିମ ଏକ ବିଶେଷ ଅଭିଯାନ ଚଲାଇଥିଲା । ସୂଚନା ମିଳିଥିଲା ଯେ, ଲାଠୋର ଥାନା ଅନ୍ତର୍ଗତ ରେଙ୍ଗାଲି ସାପ୍ତାହିକ ବଜାର ନିକଟରେ ଦୁଇଜଣ ବ୍ୟକ୍ତି ଗୋଟିଏ ଆର୍ଟିଗା କାର (ନଂ ଓଡ଼ି ୦୫ ଏକେ ୫୨୮୬)ରେ ବେଆଇନ ଭାବରେ ଗଞ୍ଜେଇ ଚାଲାଣ କରୁଥିଲେ । ଅବକାରୀ ଟିମ ଅପରେସନ କରିବା ସମୟରେ ପାଖାପାଖି ୨୫ କେଜି ଗଞ୍ଜେଇ ଜବତ କରିଥିଲା, କିନ୍ତୁ ଦୁଇ ଜଣ ଚାଲାଣକାରୀ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇପାରିଥିଲେ । ଏହି ଅଭିଯାନ ସମ୍ବନ୍ଧରେ ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଛି ଏବଂ ଫେରାର ଅଭିଯୁକ୍ତମାନଙ୍କ ଖୋଜା ଚାଲିଛି । ଜବତ ହୋଇଥିବା ୨୫ କେଜି ଗଞ୍ଜେଇର ହାରାହାରି ବଜାର ମୂଲ୍ୟ ୨.୫ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ତରଫରୁ ସୂଚନା ମିଳିଛି । ଏହା ସହ ଗୋଟିଏ ଆର୍ଟିଗା କାର, ଗାଡିର କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଓ ହଜାରେ ଟଙ୍କା ନଗଦ ମଧ୍ୟ ଜବତ ହୋଇଥିବା ଅବକାରୀ ସୁପାରିଟେଣ୍ଡେଣ୍ଟ ହରିହର ଧଳ ସୂଚନା ଦେଇଛନ୍ତି । ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଲାଣ ବିରୋଧରେ ଚାଲୁଥିବା ଅଭିଯାନରେ ଏହି ଅପରେସନ ଅବକାରୀ ବିଭାଗ ପାଇଁ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ଜନସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.