
ଶିଶୁଙ୍କ ଜୀବନ ଅମୂଲ୍ୟ ସମ୍ପଦ, ସମସ୍ତ ଶିଶୁଙ୍କୁ କୋରନା ସଂକ୍ରମଣରୁ ରକ୍ଷା ନିମନ୍ତେ ବୟସ୍କମାନେ ଟୀକା ନେବା ଜରୁରୀ : ଗଞ୍ଜାମ ଜିଲ୍ଲାପାଳ

- ତୃତୀୟ ଲହର ପୂର୍ବରୁ ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ସତର୍କତା
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲାର ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ସବୁ ଗ୍ରହଣ କରାଯାଉଛି । ଶିଶୁମାନେ ଯେପରି କରୋନା ସଂକ୍ରମଣରୁ ରକ୍ଷା ପାଇବେ, ସେ ଦିଗରେ ଆଗୁଆ ପଦକ୍ଷେପ ଜିଲ୍ଲା ପ୍ରଶାସନ ଗ୍ରହଣ କରି ଆସିଛନ୍ତି । ଗତକାଲି ଅର୍ଥାତ ଜୁନ ୯ ତାରିଖ (ବୁଧବାର) ଠାରୁ ଘର ଘରକୁ ବୁଲି ସ୍ବତନ୍ତ୍ର ଟିମ୍ ଯାଇ ସ୍ବାସ୍ଥ୍ୟ(ପରୀକ୍ଷା) ଅବା ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସମ୍ପ୍ରତି ଭାରତ ଭଳି ଦେଶର ଅନ୍ୟ ରାଜ୍ୟରେ ତୃତୀୟ ଲହରର ପ୍ରଭାବକୁ ଦୃଷ୍ଚିରେ ରଖି ଗଞ୍ଜାମ ଜିଲ୍ଲାର ଶିଶୁମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଇ ତାଙ୍କର ଚିକିତ୍ସା ଓ ଯତ୍ନ ଦିଗରେ ଆଗୁଆ ପଦକ୍ଷେପ ଗ୍ରହଣ କରି ସଂକ୍ରମଣକୁ ଯେପରି ରୋକାଯାଇ ପାରିବ, ସେ ଦିଗରେ ଗଞ୍ଜାମ ଜିଲ୍ଲାପ୍ରଶାସନ ଆଗୁଆ ପ୍ରସ୍ତୁତ ରହିଛି । ତୃତୀୟ ଲହର ସମୟରେ ମୁଖ୍ୟତଃ ଶିଶୁମାନେ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଆକଳନ କରାଯାଇଛି । ବର୍ତ୍ତମାନ ସମୟରେ ସମସ୍ତ ବିଦ୍ୟାଳୟ ବନ୍ଦ ରହିଛି, ପିଲାମାନେ ଘରେ ରହିଛନ୍ତି, ଆଉ ଘରେ ହିଁ ରହିବାକୁ ହେବ ବୋଲି ପ୍ରଶାସନ କହିଛନ୍ତି । ସେମାନେ ନିଜ ପରିବାରର ବୟସ୍କ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇପାରନ୍ତି । ଏଣୁ ବୟସ୍କ ବ୍ୟକ୍ତିଙ୍କର ଟୀକା ଗ୍ରହଣ ଦିଗରେ ସରକାର ଗୁରୁତ୍ବ ଦେଇ ଆସୁଛନ୍ତି । ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷ ଯଦି ଟୀକା ଗ୍ରହଣ କରି ନିଜେ ସୁରକ୍ଷିତ ରହିବେ, ତେବେ ନିଜ ପରିବାରର ଶିଶୁଙ୍କ ଅମୂଲ୍ୟ ଜୀବନ ମଧ୍ୟ ସୁରକ୍ଷିତ ରହିପାରିବ । କର୍ମ ସଂସ୍ଥାନରେ କିମ୍ବା ନିଜ ଜୀବୀକା ନିମନ୍ତେ ବୟସ୍କ ବ୍ୟକ୍ତି ହିଁ ବାହାରକୁ ଯାଆନ୍ତି ଏବଂ ଘରକୁ ଫେରନ୍ତି । ତେଣୁ ବିନା ଦ୍ବିଧାରେ ସମସ୍ତେ ଟୀକା ନିଅନ୍ତୁ । ସମସ୍ତ ଜନସାଧାରଣ ଟୀକା ଗ୍ରହଣର ସୁଯୋଗକୁ ହାତଛଡା କରନ୍ତୁ ନାହିଁ । ନିର୍ଭୟରେ ଟୀକା ନିଅନ୍ତୁ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଞ୍ଜାମବାସୀଙ୍କୁ ସମ୍ବୋଧନ କରି କହିଛନ୍ତି । ନିଜେ ସୁରକ୍ଷିତ ରୁହନ୍ତୁ ଏବଂ ନିଜ ପରିବାରର ଶିଶୁମାନଙ୍କର ଜୀବନକୁ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷାକରନ୍ତୁ । ଶିଶୁ ସୁରକ୍ଷିତ ରହିଲେ ଆପଣଙ୍କ ପରିବାର ସୁରକ୍ଷିତ ରହିବ । ଜିଲ୍ଲାବାସୀ ସମସ୍ତେ କରୋନା ଟୀକା ନିଅନ୍ତୁ, ସମସ୍ତେ ସୁରକ୍ଷିତ ରୁହନ୍ତୁ, ବୋଲି ଗଞ୍ଜାମ ଜିଲ୍ଲାପାଳ ବିନୀତ ଅନୁରୋଧ କରିଛନ୍ତି ।
