ଗଣେଶ ବିସର୍ଜନ କରିବାକୁ ଯାଇ ୩ ଯୁବକ ମୃତ

ନୂଆପଡା, (ନିରାକାର ମେହେର) : ସୁନାବେଡା ଗୋଧସ ଜଳ ପ୍ରପାତରେ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ୩ ଜଣ ଯୁବକ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ୨୪ ଘଣ୍ଟା ପରେ ଆଜି ଅପରାହ୍ନରେ ୩ ଜଣ ଯୁବକଙ୍କ ମୃତ ଦେହ ପାଣିରୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ସମସ୍ତ ଯୁବକ ବାହାର ରାଜ୍ୟର ଏବଂ ଏଠାରେ ଏକ ମଦ ଦୋକାନରେ କାମ କରୁଥିଲେ । ମୃତକ ମାନେ ନୂଆପଡା ସହରର ବରଗଡ ରାସ୍ତାର ବିଦେଶୀ ମଦ ଦୋକାନରେ ୬ଜଣ କର୍ମଚାରୀଙ୍କ ସହ ଗତକାଲି ଅପରାହ୍ନରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ସଦର ବ୍ଲକ ଧରମବନ୍ଧା ଥାନା ଲୋଦ୍ରା ସ୍ଥିତ ସୁନାବେଡା ଅଭୟାରଣ୍ୟର ଗୋଧସ ଜଳ ପ୍ରପାତକୁ ଯାଇଥିଲେ । ପାଣି ପଡୁଥିବା ସ୍ଥାନକୁ ମୂର୍ତ୍ତି ଧରି ମୃତ ୩ ଜଣଙ୍କ ସମେତ ୪ ଜଣ ଯୁବକ ପଶିଥିଲେ । ହେଲେ ଭଉଁରୀରେ ଫଶୀ ଆଉ ବାହାରି ପାରି ନ ଥିଲେ । କୌଣସି ମତେ ଚର୍ତୁଥ ବ୍ୟକ୍ତି ପ୍ରେମ କୁମାର ଗୁପ୍ତା ଭଉଁରୀରୁ ବାହାରିବା ପାଇଁ ସମର୍ଥ ହୋଇଥିଲେ । ବହୁତ ସମୟ ଧରି ସେ ପାଣି ଭିତରେ ବନ୍ଧୁ ମାନଙ୍କୁ ଖୋଜା ଖୋଜି କରିଥିଲେ ହେଲେ ସେମାନଙ୍କ ଠାବ ପାଇଁ ନଥିଲେ । ଶେଷରେ ସେ ଫେରି ଆସି ପୋଲିସର ସହାୟତା ନେଇଥିଲେ । ସନ୍ଧ୍ୟାରେ ପୋଲିସ ସହ ଅଗ୍ନିଶମ ବାହିନୀ ପହଂଚି ସର୍ଚ୍ଚ ଅପରେସନ ଚଳାଇଥିଲେ । ହେଲେ ରାତି ହେବାରୁ ବିଫଳ ହୋଇଥିଲେ । ଆଜି ସକାଳୁ ଧରମବନ୍ଧା ଥାନା ପୋଲିସ ଓ ନୂଆପଡା ଅଗ୍ନିଶମ କର୍ମଚାରୀ ପୁଣି ଅପରେସନ ଆରମ୍ଭ କରିଥିଲେ । ପୂର୍ବାହ୍ନ ୧୦ରେ ପ୍ରଥମେ ଅମିତ ଓ ୧୧ଟାରେ ସେଲମେନ ରାଜକୁମାରଙ୍କ ମୃତଦେହକୁ ପାଣି ଭିତରୁ ବାହାର କରିଥିଲେ । ହେଲେ ମେନେଜର ନୀଲେଶଙ୍କ କୌଣସି ଖୋଜ ଖବର ମିଳିନଥିଲା । ବହୁତ ଖୋଜା ଖୋଜି ପରେ ମଧ୍ୟାହ୍ନ ୧ଟାରେ ବହୁତ କଷ୍ଟରେ ଅଗ୍ନିଶମ ବାହିନୀର ୨ କର୍ମଚାରୀ ମେନେଜର ନୀଲେଶଙ୍କ ମୃତଦେହକୁ ପାଣି ଭିତରୁ ଉଦ୍ଧାର କରିଥିଲେ । ଅପରାହ୍ନରେ ଧରମବନ୍ଧା ପୋଲିସ ୩ଜଣ ମଦ ଦୋକାନ କର୍ମଚାରୀଙ୍କ ମୃତ ଦେହକୁ ଜବତ କରି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇଥିଲେ ।

Leave A Reply

Your email address will not be published.