କେସିଙ୍ଗା, (ପ୍ରୀତେଶ ପଟେଲ) : ମେଡିକାଲ ପରିସରରୁ ଆରମ୍ଭ ହୋଇଥିବା ଡାକ୍ତର ଓ କଂଗ୍ରେସ କର୍ମକର୍ତ୍ତାଙ୍କ ବିବାଦ ଥମିବାର ନାଁ ନେଉ ନାହିଁ । ଡାକ୍ତରଖାନାର ବିଭିନ୍ନ ଅସୁବିଧାକୁ ନେଇ ସକାଳେ କିଛି କଂଗ୍ରେସ କର୍ମୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ପ୍ରୟାଗ ପ୍ରତିଶ୍ରୁତି ମାଝିଙ୍କ ସରକାରୀ ବାସ ଗୃହକୁ ଯାଇଥିବାବେଳେ କଂଗ୍ରେସ କର୍ମୀ ଓ ଡାକ୍ତରଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାକୁ ନେଇ ପରବର୍ତ୍ତୀ ସମୟରେ ଡାକ୍ତର କେସିଙ୍ଗା ପୋଲିସ ଷ୍ଟେସନରେ ଅଭିଯୋଗ କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମଧ୍ୟ ଜଣାଇଥିଲେ । ଡାକ୍ତରଙ୍କ ଅଭିଯୋଗ ଅନୁଯାୟୀ ଏଭଳି ଘଟଣା ଘଟିବା ଦ୍ଵାରା ଡାକ୍ତର ଓ ମେଡିକାଲ କର୍ମଚାରୀମାନେ ନିଜକୁ ଆଉ ସୁରକ୍ଷିତ ଭାବୁନାହାନ୍ତି । ମାନସିକ ଚାପ ରେ ରହୁଛନ୍ତି । ଏଭଳି ଅଭିଯୋଗକୁ କେନ୍ଦ୍ରକରି ଗତ ୨୨ ତାରିଖରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବାହାରେ ଡ଼ାକ୍ତର ଓ ସମସ୍ତ ମେଡ଼ିକାଲ୍ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପହଞ୍ଚି ଡାକ୍ତରମାନଙ୍କ ସହିତ ଆଲୋଚନା ପରେ, ଆନ୍ଦୋଳନରୁ ଓହରି ଥିବା ବେଳେ ଆଜି କଂଗ୍ରେସ କର୍ମୀମାନେ ସ୍ୱାସ୍ଥ୍ୟ କେନ୍ଦ୍ର ବାହାରେ ଗଣ ଧାରଣାରେ ବସିଛନ୍ତି । ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତରଙ୍କୁ ବଦଳି କରିବା ସହ ଉପଯୁକ୍ତ ସଂଖ୍ୟକ କର୍ମଚାରୀ ପ୍ରଦାନ କରିବା ଦାବି ନେଇ ଜିଲ୍ଲାପାଳଙ୍କୁ ଜଣାଇଥିବା କହିଛନ୍ତି କେସିଙ୍ଗା କଂଗ୍ରେସର ନଗର ସଭାପତି ସୁବାସ ଚନ୍ଦ୍ର ଜୈନ ।