ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗଣଦୌଡ଼ ଅନୁଷ୍ଠିତ

  • ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା ଏକତା ଶପଥ ପାଠ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ସୁନ୍ଦରଗଡ଼ଠାରେ ଆୟୋଜିତ ହୋଇଯାଇଛି ଏକ ଗଣଦୌଡ଼ । ଏହି ଅବସରରେ ଓଡ଼ିଶା ବିଧାନ ସଭାର ମାନ୍ୟବର ଉପ ବାଚସ୍ପତି ତଥା ମାନ୍ୟବର ବିଧାୟକ ତଳସରା ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ସୁରଜ ପଟ୍ଟନାୟକ, ସୁନ୍ଦରଗଡ଼ ବିଜେପି ସଭାପତି ଗିରିଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । “ଏକ ଭାରତ, ଆତ୍ମନିର୍ଭର ଭାରତ”ର ବାର୍ତ୍ତା ନେଇ ଆୟୋଜିତ ଏହି ଏକତା ଦୌଡ଼କୁ ଅତିଥିମାନେ ଶୁଭାରମ୍ଭ କରିଥିଲେ । ଅତିଥିମାନେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ସହିତ ସମସ୍ତେ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ରାଷ୍ଟ୍ରର ଏକତା, ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାୟ ରଖିବା ସହିତ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ନିଜକୁ ସମର୍ପଣ କରିବାକୁ ଶପଥ ପାଠ କରିଥିଲେ । ଏହି ଗଣଦୌଡ଼ଟି ବିର୍ସାମୁଣ୍ଡା ଛକ (ଏନ୍ କେ କେ ) ଠାରୁ ଆରମ୍ଭ ହୋଇ ରାଉରକେଲା ଛକ, ବି.ଏସ. ହାଇସ୍କୁଲ ଛକ, ଷ୍ଟେଟ ବ୍ୟାଙ୍କ ଛକ, ଡିଆର୍‌ଡିଏ ଛକ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଏଥିରେ ଜିଲ୍ଲା କ୍ରୀଡା ଅଧିକାରୀ ତେଜ କୁମାର ଖେସ, ସ୍ୱେଚ୍ଛାସେବୀ ଦିଲ୍ଲୀପ ପଟେଲ, ଜୟନ୍ତ ନାଏକ, କ୍ରିକେଟ କୋଚ୍‌ ସୁଶିଲ କୁମାର ମିଶ୍ର, ଅନ୍ୟାନ୍ୟ ଜିଲ୍ଲା ସ୍ଥାରୀୟ ଅଧିକାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କ୍ରୀଡ଼ା ବିଭାଗର ଅନ୍ୟାନ୍ୟ ଅଧିକାରୀ, ପ୍ରଶିକ୍ଷକ ଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ସେହିଭଳି ଆଜି ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟ ସମେତ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ମାନଙ୍କରେ ଏକତା ଶପଥ ପାଠ କରାଯାଇଥିଲା ।

Leave A Reply

Your email address will not be published.